(୧୩/୧୧) ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେଇ ଅନ୍ୟମାନଙ୍କ ମାମଲାରେ ସୁପ୍ରିମକୋର୍ଟ ଚୁପ୍ ଥିବା ଯୋଗୁଁ ଟ୍ୱିଟ କରିବାରୁ ଆଟର୍ଣ୍ଣି ଜେନେରାଲ କମେଡିଆନ୍ କୁନାଲ କାମରାଙ୍କ ବିପକ୍ଷରେ ଅଦାଲତ ଅବମାନନା ମାମଲା ଦାୟର କରିବାକୁ ସବୁଜ ସଂକେତ ଦେଇଥିବାବେଳେ ଶ୍ରୀ କାମରା ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟରେ କେ କେ ବେଣୁଗୋପାଳଙ୍କୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପତ୍ର ଲେଖିଥିବା ଜଣାପଡ଼ିଛି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜଣେ ସାଧାରଣ ନାଗରୀକଙ୍କ ବ୍ୟକ୍ତି ସ୍ୱାଧୀନତାକୁ ନେଇ ସୁପ୍ରିମକୋର୍ଟ ଚୁପ ହେଉଥିବା ଯୋଗୁଁ ତାହା ପ୍ରଶ୍ନବାଚୀ ନ ହୋଇ ରହିପାରିବନି । ସେ ୨୦ ଘଣ୍ଟାରୁ କମ ସମୟ ଭିତରେ ତାଙ୍କ ବିରୁଦ୍ଧରେ ଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ହେଉ ବୋଲି ସେ ଚାହାନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ମାମଲାକୁ କୋର୍ଟ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଶୁଣିବାର ଭାଗ୍ୟ ତାଙ୍କର ରହିଛି । ତେବେ ସେ ବିମୁଦ୍ରାକରଣ, ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ଆଇନ ଉଠାଇବା ବିରୁଦ୍ଧରେ କୋର୍ଟରେ ନିଲମ୍ବିତ ଥିବା ମାମଲା ସମେତ ନିର୍ବାଚନୀ ବଣ୍ଡ ଓ ଆହୁରି ଅନେକ ସମୟୋଚିତ ମାମଲା ରହିଛି, ସେସବୁକୁ ତାଙ୍କ ମାମଲା ଅପେକ୍ଷା ଅଧିକ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଶେଷରେ ସେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ହରିଶ ସାଲଭେଙ୍କ ଏକ ଉକ୍ତି-‘ଯଦି ମୋ ମାମଲା ପାଇଁ ବ୍ୟୟ କରିବାକୁ ଥିବା ସମୟ ଅପେକ୍ଷା ଅନ୍ୟ ପ୍ରମୁଖ ବିଷୟ ଗୁଡ଼ିକୁ ଆବଣ୍ଟନ କରାଯାଏ, ତେବେ କଣ ସ୍ୱର୍ଗ ଛିଣ୍ଡି ପଡ଼ିବ’ ବୋଲି ସେ ଆଟର୍ଣ୍ଣି ଜେନେରାଲଙ୍କୁ ପତ୍ର ଲେଖିଛନ୍ତି । ତେବେ କୁନାଲ କାମରାଙ୍କୁ ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିବାରେ ଅନେକ ବିଶିଷ୍ଟ ବ୍ୟକ୍ତି ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମାତ୍ର ସାତ ଦିନ ଭିତରେ ଦୁଇ ଦିନ ପୂର୍ବେ ସୁପ୍ରିମକୋର୍ଟ ଜାମିନ ଦେଇଥିବାବେଳେ ୮୩ ବର୍ଷ ବୟସ୍କ ମାନବାଧୀକାର କର୍ମୀ ଷ୍ଟେନ ସ୍ୱାମୀଙ୍କ ସମେତ ବରବରା ରାଓ ଓ ଅନ୍ୟମାନଙ୍କ ମାମଲାକୁ କୋର୍ଟ ଗୁରୁତର ଭାବେ ନେଉ ନଥିବାରୁ ସେ ସୁପ୍ରିମକୋର୍ଟଙ୍କୁ ‘ସୁପ୍ରିମ ଜୋକ୍ ଅଫ୍ ଇଣ୍ଡିଆ‘ ବୋଲି ଆଖ୍ୟା ଦେଇ ଏକ ଟ୍ୱିଟ କରିଥିଲେ ।
କମେଡିଆନ୍ କୁନାଲ୍ କାମରାଙ୍କ ପ୍ରଶ୍ନ ସୁପ୍ରିମକୋର୍ଟଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବନି ତ ?
