(୧୯/୮) ପୋଲିସ୍ ପୋଷାକ ପିନ୍ଧି ଏକ ବୁଲେଟ ସୋରୁମରେ ମିଥ୍ୟା କାଗଜପତ୍ର ଦାଖଲ କରି ଋଣ ନେଇଥିବା ଏକ ମହିଳାକୁ ରାଉରକେଲା ପୋଲିସ୍ ଧରିଛି । ସୂଚନାରୁ ପ୍ରକାଶ ଯେ, ନିଜକୁ ଜଣେ ଆଇପିଏସ୍ ଅଫିସର କହି ବାସନ୍ତି କଲୋନୀ ଅଂଚଳରେ ଥିବା ଏକ ବୁଲେଟ ସୋରୁମକୁ ଯାଇ ସେଠାରେ ଏକ ବୁଲେଟ ପସନ୍ଦ କରିଥିଲେ । ତାପରେ ସେ ମିଥ୍ୟା କାଗଜପତ୍ର ସମେତ ଆଇପିଏସ୍ର ପରିଚୟପତ୍ର ଦେଖାଇ ୧.୯ ଲକ୍ଷ ଟଙ୍କାର ଋଣ ପାଇଁ ନଗଦ ୨୫୦୦୦ ଟଙ୍କା ଓ ଦୁଇଟି ବ୍ୟାଙ୍କ ଚେକ୍ ଦେଇଥିଲେ । ଉକ୍ତ ଫାଇନାନ୍ସ କମ୍ପାନୀ ସେହି ବ୍ୟାଙ୍କ ଚେକକୁୁ ବ୍ୟାଙ୍କରେ ଦାଖଲ କଲା ପରେ ଉକ୍ତ ଆକାଉଣ୍ଟରେ କୌଣସି ଟଙ୍କା ନଥିବା ଜଣାପଡ଼ିବାରୁ ଉକ୍ତ ମହିଳା ଉପରେ କମ୍ପାନୀ ସନ୍ଦେହ କରି ଉଦିତନଗର ଥାନାରେ ଏକ ରିପୋର୍ଟ ଦେଲା । ରିପୋର୍ଟ ପାଇବା ପରେ ପୋଲିସ୍ ଉକ୍ତ ମହିଳାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରିବାରୁ ଉଦିତନଗର ଅଂଚଳରେ ସେ ଥିବା ଜଣା ପଡ଼ିଥିଲା । ତାପରେ ପୋଲିସ୍ ତାର ପିଛା କରି ସେହି ଅଂଚଳରେ ସେ ଉକ୍ତ ବୁଲେଟ ମୋଟର ସାଇକେଲରେ ବୁଲୁଥିବା ସମୟରେ ଧରା ପଡ଼ିଥିଲା । ଉକ୍ତ ମହିଳାଙ୍କଠୁ ପୋଲିସ୍ ପୋଷାକ, ବୁଲେଟ ମୋଟର ସାଇକେଲ, ଆଇପିଏସ୍ ଲୋଗୋ ଓ ମିଥ୍ୟା କାଗଜପତ୍ର ପୋଲିସ୍ ଜବତ କରିଛି । ଏ ମହିଳାଙ୍କ ଏହା ପ୍ରଥମ ଘଟଣା ନୁହେଁ, ଗତ ଏପ୍ରିଲ ମାସ ୨୪ ତାରିଖରେ ମଧ୍ୟ ଭୁବନଶ୍ୱର କ୍ୟାପିଟାଲ ପୋଲିସ ଷ୍ଟେସନରେ ନିଜକୁ ଆଇପିଏସ୍ ଅଫିସର କହି ତାଙ୍କ କଥା ମାନିବାକୁ କହିବାରୁ ସେଠାରେ ବି ସେ ଗିରଫ ହୋଇଥିବା ଜଣାପଡ଼ିଛି ।
ନିଜକୁ ଆଇପିଏସ୍ ଅଫିସର ବୋଲାଇ ସୋରୁମ୍ରୁ ବୁଲେଟ୍ ଋଣ ନେଇଥିବା ମହିଳା ଧରାପଡ଼ିଲା
