(୦୭/୮) ଜନ୍ମରୁ ଶରୀର ସମ୍ପୂର୍ଣ୍ଣ ବିକଳାଙ୍ଗ କିନ୍ତୁ ନିଜ ପେଟ ପାଇଁ ଦିନକୁ ଦୁଇମୁଠା ଦାନା ଯୋଗାଇବାକୁ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ନାବାଳକ। ସେ ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ପିଜୁଳି।ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରିଗୁଡା ଗ୍ରାମରେ। ନାମ-ସୁବାଷ ଜାନି, ବୟସ-୧୭, ଗରିବ ଓ ଦିବ୍ୟାଙ୍ଗ ହେଇଥିବାରୁ ପିଲାବେଳୁ ଶିକ୍ଷା ଗ୍ରହଣ କରିବାକୁ ଯିବାରୁ ବଞ୍ଚିତ ହେଇଥିଲେ।ନା ଠିକରେ ଚାଲି ପାରନ୍ତି ନା ଠିକରେ କଥା କହି ପାରନ୍ତି, ତଥାପି ବଞ୍ଚିବା ପାଇଁ ଅର୍ଥ ଉପାର୍ଜନ କରି ପରିବାର ପ୍ରତିପୋଷଣ କରିବାକୁ ହାର ମାନି ନାହାନ୍ତି ସେ। ସରକାରୀ ସହାୟତା କହିଲେ ଦିବ୍ୟାଙ୍ଗ ଭତ୍ତା ୫୦୦ ଟଙ୍କା ଓ ମାସକୁ ୫ କିଲୋ ଚାଉଳ। ସେଥିରେ କେମିତି ଚଳିବେ ? ପରିବାର କହିଲେ, ପାଖରେ କେହି ନାହାନ୍ତି। ନିଜେ ଚଳିବାକୁ ଅସୁବିଧା ହେବାରୁ ବାଧ୍ୟ ହୋଇ ପ୍ରତ୍ୟେକ ଦିନ ଦୀର୍ଘ ୩ କିଲୋମିଟର ରିକ୍ସାରେ ଯାଇ ଅଂଚଳଗୁମା ଠାରୁ ପୂଜାରୀଗୁଡା ଯିବା ମୁଖ୍ୟ ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ପିଜୁଳି। ଆଉ ସେଥିରେ ଯାହା ଦୁଇ ପଇସା ମିଳେ ତାହା ସେ ଚଳୁଛନ୍ତି। ଖାଲି ସେତିକି ନୁହେଁ, ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଘର ଖଣ୍ଡିଏ ନଥିବାରୁ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇ ରହୁଛନ୍ତି ଦିବ୍ୟାଙ୍ଗ ସୁବାସ। ପରିବାରଟି ଗରିବ ଶ୍ରେଣୀର ହୋଇଥିବାରୁ ଆଜିକୁ ପ୍ରାୟ ୧୨ ବର୍ଷ ହେବ ବାପା,ମା ଆନ୍ଧ୍ରରେ ଦାଦନ ଖଟିବାକୁ ଯାଇଛନ୍ତି। କେବେ ତାଙ୍କର ଆର୍ଥିକ ସ୍ଥିତି ଭଲ ହେଲେ ବାପା,ମା ଘରକୁ ଫେରିବେ କେଜାଣି ! ତାଙ୍କ ଫେରିବା ବାଟକୁ ଚାହିଁ ରହିଛି ଦିବ୍ୟାଙ୍ଗ ନାବାଳକ ପୁଅ। ଏତେ ଅସହାୟ ଅବସ୍ଥାରେ ସେ ଦିନ କାଟୁଥିଲେ ବି କାହାରି ନଜର ପଡ଼େନା ତାଙ୍କ ଉପରେ, ସତେ ଯେମିତି ମଣିଷପଣିଆ ଆଉ ନାହିଁ କାହାରି ପାଖରେ ! ଦିବ୍ୟାଙ୍ଗ ସୁବାସଙ୍କ ଦୁଃଖ ବୁଝିବାକୁ ପାଖରେ ବି କେହି ନାହାନ୍ତି। ପ୍ରତ୍ୟେକ ଦିନ ରାସ୍ତା କଡରେ ପିଜୁଳି ବିକ୍ରି କରୁଛନ୍ତି ସୁବାସ କିନ୍ତୁ । ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ବଡ଼ ବଡ଼ିଆ ବାବୁମାନେ ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜର ପଡୁ ନଥିବା ଦିବ୍ୟାଙ୍ଗ ସୁବାସ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି। କୋଉଠି ଯିବେ, କାହାକୁ ଜଣେଇବେ, ସେଇ ଦୁଃଖରେ ସେ। ଖୁବଶୀଘ୍ର ପ୍ରଶାସନ ଏହି ଦିବ୍ୟାଙ୍ଗ ନାବାଳକଙ୍କ ପ୍ରତି ସଦୟ ହୋଇ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ପିଜୁଳି ବିକି ଚଳୁଥିବା ଏହି ଦିବ୍ୟାଙ୍ଗ ନାବାଳକଙ୍କ ପ୍ରତି ସରକାର କେବେ ସଦୟ ହେବେ ?
