ଏକା ସାଙ୍ଗରେ ଚୀନର ୱାହାନ ପ୍ରଦେଶରୁ କରୋନା ଭୂତାଣୁର ପ୍ରସାର ଓ ଭାରତର ବିଭିନ୍ନ ଅଂଚଳରେ ଯେଭଳି ଫେବୃୟାରୀ ମାସରୁ ବର୍ତ୍ତମାନ ଖରାଦିନରେ ମଧ୍ୟ ଲଗାତାର ବର୍ଷା ହେଉଛି, ଏହାରି ପଛରେ ଚୀନର ହାତ ନାହିଁ ତ ବୋଲି ଲୋକଙ୍କ ମନରେ ପ୍ରଶ୍ନ ହେଲାଣି । ଯଦି ଏହା ସତ, ତେବେ ଏହା ଦେଶ ପାଇଁ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହେବ । କାରଣ ବର୍ଷା ବିଶେଷ ଦରକାର ନ ଥିବା ଗ୍ରୀଷ୍ମଋତୁରେ ଯଦି ବର୍ଷା ହୋଇଯାଏ ଓ ବର୍ଷାଋତୁରେ ଚାଷକାମ ହେବା ଦିନରେ ଯଦି ବର୍ଷାର ମାତ୍ରା କମିଯାଏ, ତେବେ ଚାଷକାର୍ଯ୍ୟ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିିବ ଓ ଦେଶର ଅର୍ଥନୀତି ଆହୁରି ବିଗିଡ଼ି ଯିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଚାଷକାମ ଯଦି ଠିକରେ ନ ହେଲା, ତେବେ ଦେଶରେ ଖାଦ୍ୟର ଅଭାବ ଦେଖା ଦେବ ଓ ଖାଦ୍ୟର ଅଭାବ ଦେଖାଦେଲେ ଗରିବଅସହାୟ ଲୋକେ ଦୁର୍ଭିକ୍ଷର ଶୀକାର ହୋଇ ମୃତ୍ୟୁମୁଖରେ ପଡ଼ିବା ବି ସମ୍ଭାବନା ରହିଛି । ଆହୁରି ମଧ୍ୟ, ଯେଉଁ ଚାଷୀ ନିଜ ଚାଷକାମ ଉପରେ ନିର୍ଭର କରି ଦୁଇ ପଇସା ବର୍ଷକରେ ରୋଜଗାର କରିଥାଏ, ତାହା ବି ସେ ଆଉ ପାଇ ପାରିବନି । ଫଳରେ ଏହା ଦେଶକୁ ଏକ ନୂତନ ସମସ୍ୟା ଭିତରକୁ ଠେଲିଦେବ, ଯାହା ଫଳରେ ଲୋକଙ୍କ ହାତରେ ପଇସାପତ୍ର ଥିଲେ ବି କିଛି ଖାଇବାକୁ ପାଇ ପାରିବେ ନାହିଁ ।
ବର୍ତ୍ତମାନ ବିଜ୍ଞାନ ଏତେ ଉନ୍ନତି କଲାଣି ଯେ, କୃତ୍ରିମ ବର୍ଷା ବି କରାଯାଇ ପାରୁଛି । ୧୯୮୩ ମସିହାରେ ତାମିଲନାଡ଼ୁରେ ମରୁଡ଼ି ହେବା ଫଳରେ ସେଠାରେ କୃତ୍ରିମ ବର୍ଷା କରାଯାଇଥିବା ଜଣାପଡ଼ିଛି । ଏପରିକି ୨୦୦୩ ଓ ୨୦୦୪ ମସିହାରେ କର୍ଣ୍ଣାଟକ ଓ ମହାରାଷ୍ଟ,୍ର ଓ ପରେ ଆନ୍ଧ୍ରପଦେଶରେ ମଧ୍ୟ କୃତ୍ରିମ ବର୍ଷା କରାଯାଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି । ତେବେ ଯେଉଁ ସମୟରେ ସମଗ୍ର ବିଶ୍ୱ କରୋନା ରୋଗ ସହ ମୁକାବିଲା କରୁଛି, ସେହି ସମୟରେ ଆମ ଦେଶରେ ଅସମୟରେ ଲଗାତାର ବର୍ଷା ହେବା କ’ଣ କୃତ୍ରିମ ବର୍ଷା ନୁହେଁ ତ ବୋଲି ସନ୍ଦେହ ହୁଏ । କାରଣ, ଆମର ପଡୋଶୀ ଦେଶ ଚୀନର ବୈଷୟୀକ ବିଦ୍ୟା ଏତେ ଉନ୍ନତ ଯେ ଏହା ସମସ୍ତ ଜିନିଷର ନକଲି ଉତ୍ପାଦ ପାଇଁ ଯେପରି ପ୍ରସିଦ୍ଧ ସେ କୃତ୍ରିମ ବର୍ଷା କରି ଆମ ଦେଶକୁ ଦୁର୍ବଳ କରିବାକୁୁ ଯେ ଚକ୍ରାନ୍ତ କରୁ ନ ଥିବ, ତାହା କିଏ ବାଃ କହିବ! ‘ସାଉଥ୍ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ’ ଅନୁଯାୟୀ ସ୍ପେନ ଦେଶର ତିନି ଗୁଣ ଆକାରର ବର୍ଷା ଚୀନ ପାହାଡ଼ପର୍ବତ ଇଲାକାରେ କରିବାକୁ ସକ୍ଷମ ବୋଲି ଏଥିରେ ଉଲ୍ଲେଖ ରହିଛି । ୬ ଲକ୍ଷ ବର୍ଗ କିଲୋମିଟରରେ କୃତ୍ରିମ ବର୍ଷା କରାଇବା ଉପରେ ଚାଇନାର ଏକ ପ୍ରକଳ୍ପ ଜାରି ରହିିଛି । ଚୀନର ବେଜିଂରେ ୨୦୦୮ ରେ ହୋଇଥିବା ଅଲିମ୍ପିକ ଖେଳରେ ଯେପରି ବର୍ଷା ଯୋଗୁଁ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ବର୍ଷାକୁ ନିୟନ୍ତ୍ରଣ କରିବାକୁ ଚୀନ କାର୍ଯ୍ୟ କରିଥିବା ଲୋକେ ଜାଣନ୍ତି । ତେବେ ବାୟୁମଣ୍ଡଳର ନିମ୍ନ ଭାଗରେ ବର୍ତ୍ତମାନ କୌଣସି ବିମାନ ଚଳାଚଳ କରୁ ନ ଥିବାରୁ ଶକ୍ତିଶାଳୀ ଲେଜର ଆଲୁଅର ପ୍ରୟୋଗରେ ବାୟୁମଣ୍ଡଳକୁ ଉତ୍ତପ୍ତ କରିବା ସହ ମେଘ ସୃଷ୍ଟି କରି ଚୀନ ଆମ ଦେଶରେ କୃତ୍ରିମ ବର୍ଷା କରୁ ନାହିଁ ତ? କାରଣ ଶକ୍ତିଶାଳୀ ଲେଜର ଆଲୁଅକୁ ବାୟୁମଣ୍ଡଳର ନିମ୍ନ ଭାଗରେ ପ୍ରୟୋଗ କଲେ, ସେଠି ବାୟୁମଣ୍ଡଳ ଉତ୍ତପ୍ତ ହେବା ସହ ମେଘ ସୃଷ୍ଟି ହୋଇଥାଏ ଓ ଆଖପାଖ ଅଂଚଳରେ ବର୍ଷା ହୋଇଥାଏ । ଆଉ ଏହି ଆଲୁଅ ବ୍ୟବହାର ବିମାନ ଚଳାଚଳ ବନ୍ଦ ଥିବା ସମୟରେ ହିଁ କରାଯାଏ, କାରଣ ଏଥିଯୋଗୁଁ ଆକାଶରେ ବିମାନ ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ରହିଛି । ତେବେ ଏହା କେତେ ଦୂର ସତ, ତାହା ଦେଶର ବୈଜ୍ଞାନିକମାନେ ହିଁ ପ୍ରକୃତ ଭାବେ କହିପାରିବେ!
ଭାରତରେ ଗ୍ରୀଷ୍ମଋତୁରେ ଲଗାତାର ବର୍ଷା ପଛରେ ଚୀନର ହାତ ନାହିଁ ତ?
