(୨୧/୮) ଆନ୍ନା ହଜାରେ ଦିଲ୍ଲୀର ରାମଲୀଳା ପଡ଼ିଆରେ ଗତ ଅଗଷ୍ଟ ୨୦୧୧ ରେ କରିଥିବା ଆନ୍ଦୋଳନ ଏକ ପ୍ରତାରଣା ଥିଲା ଓ ଏହା କଂଗ୍ରେସ ଦଳକୁ କେନ୍ଦ୍ରରେ ବଦନାମ କରି ବିଜେପିକୁ ଶାସନ ଗାଦିରେ ବସାଇବାକୁ ଆରଏସ୍ଏସ୍ର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ବୋଲି ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ‘ଆମ୍ ଆଦମୀ ପାର୍ଟି’ ର ପୂର୍ବତନ ନେତା ତଥା ବିଶିଷ୍ଟ ପ୍ରବକ୍ତା ଆଶୁତୋଷ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନକୁ ୯ମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆନ୍ନା ଆନ୍ଦୋଳନର ସ୍ୱପ୍ନକୁ କେଉଁମାନେ ଭାଙ୍ଗିଲେ? କିଏ ଏଥିପାଇଁ ଦୋଷୀ!’ ଶୀର୍ଷକରେ ‘ସତ୍ୟହିନ୍ଦୀ’ ୱେବ୍ ପତ୍ରିକାରେ ପ୍ରକାଶିତ ଶ୍ରୀ ଆଶୁତୋଷ୍ଙ୍କ୍ ଦ୍ୱାରା ଲିଖିତ ଆଲେଖ୍ୟରେ ଏପରି ଅନେକ ଅଭିଯୋଗ ତଥା ପ୍ରଶ୍ନବାଚୀ କରାଯାଇଛି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆନ୍ନା ହଜାରେଙ୍କ ଆନ୍ଦୋଳନ ଏକ ପ୍ରତାରଣା ଥିଲା ବୋଲି ସେ ଆଗରୁ ଜାଣିଥିଲେ ଯାହାକି ଲୋକେ ଏବେ କହୁଛନ୍ତି । ଲୋକେ ସେତେବେଳେ ଏକ ବିକଳ୍ପ ଖୋଜୁଥିଲେ ଯାହାକି ପ୍ରକୃତରେ ମୋଦୀ କି ବିଜେପି ନ ଥିଲା । କେଜ୍ରିୱାଲଙ୍କଠାରେ ଲୋକେ ଦେଶର ଭବିଷ୍ୟତ ଦେଖୁଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଏଥିରେ ଆହୁରି ଲେଖିଛନ୍ତି ଯେ, କୌଂଶାବୀରେ ଗିରନାର ଆପାଟମେଣ୍ଟରେ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଲୋଚନା କାଳରେ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ଆନ୍ଦୋଳନରୁ ବାହାରି ଥିବା ଶକ୍ତିକୁ ପ୍ରକୃତ ରୂପ ଦେବା ଲାଗି ଏକ ରାଜନୈତିକ ଦଳ ଅପେକ୍ଷା ଏକ ସଂଗଠନ ପ୍ରତିଷ୍ଠା କରିବାର ଅଧିକ ଆବଶ୍ୟକତା ରହିଛି ଓ ସେତେବେଳେ ସେ ଆରଏସଏସ୍ର ଉଦାହରଣ ମଧ୍ୟ ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । ଆନ୍ନା ହଜାରେଙ୍କ ଆନ୍ଦୋଳନ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଭିତରେ ସୀମିତ ରହିଗଲା ଓ ସଚିବାଳୟର ଚାରିକାନ୍ଥ ଭିତରେ ଦେଶକୁ ପରିବର୍ତ୍ତନ କରିବାର ମଶାଲ ଲିଭିଗଲା ବୋଲି ସେ ଲେଖିଛନ୍ତି । ଆନ୍ନାଙ୍କ ଆନ୍ଦୋଳନ ଯେଉଁ ଆଶା ସଂଚାର କରିଥିଲା, ତାହା ବର୍ତ୍ତମାନ ମରିଯାଇଛି । ସେଥିପାଇଁ ଆମେ ସମସ୍ତେ ଅପରାଧୀ ବୋଲି ଶ୍ରୀ ଆଶୁତୋଷ୍ ଏଥିରେ ଉଲ୍ଲେଖ କରିଛନ୍ତି ।
‘ଆନ୍ନା ହଜାରେଙ୍କ ଆନ୍ଦୋଳନ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଭିତରେ ସୀମିତ ରହିଗଲା’ -ଆଶୁତୋଷ୍
