(୨୯/୯) ଉତ୍ତରପ୍ରଦେଶରେ ଦିନକୁ ଦିନ ଯେଭଳି ଅପରାଧମାନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତରପ୍ରଦେଶକୁ ‘ଉତ୍ତମପ୍ରଦେଶ’ ଭାବରେ ଲୋକଙ୍କୁ ସ୍ୱପ୍ନ ଦେଖାଇ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରତି ଲୋକଙ୍କ ଆସ୍ଥା ତୁଟୁ ଥିବାର ଦେଖିବାକୁ ମିଳିଲାଣି । ଉତ୍ତରପ୍ରଦେଶ ହାଥରସ୍ ଅଂଚଳରେ ଗତ ଦୁଇ ସପ୍ତାହ ତଳେ ୧୯ ବର୍ଷ ବୟସ୍କ ଜଣେ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କ ସହ ଯେପରି ଅମାନୁଷିକ ବ୍ୟବହାର କରାଗଲା, ତାହା ଶୁଣିଲେ ଲୋମ ଟାଙ୍ଗୁରି ଉଠିବ । ଦୁଷ୍କର୍ମ ପୀଡ଼ିତା ଦୁଇ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରି ଆଜି ସେ ମୃତ୍ୟୁ ଆଗରେ ହାର ମାନିଛନ୍ତି । ଦିଲ୍ଲୀସ୍ଥିତ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ସ୍ଥାନୀୟ ଲୋକେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତେଜିତ ହୋଇ ପଡ଼ିଥିବା ଜାଣିବାକୁ ମିଳିଛି । ଏହି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କ ଜିଭକୁ କାଟି ଦିଆଯାଇଥିଲା ଓ ତାଙ୍କ ମେରୁଦଣ୍ଡକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଖବର ମିଳିଛି । ଉତ୍ତରପ୍ରଦେଶ ସରକାର ତୁରନ୍ତ ଏହି ଘଟଣାକୁ ଗୁରତର ସହ ନେଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍, କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ସମେତ ଦଳିତ ନେତା ତଥା ସାଂସଦ ଡକ୍ଟର ଉଦିତ୍ ରାଜ ଦାବୀ କରିଛନ୍ତି । ନିଜ ଅଫିସର କାନ୍ଥ ଭାଙ୍ଗିଯିବା ପରେ ଅଭିନେତ୍ରୀ କଙ୍ଗନାଙ୍କ ଆଖିରେ ଅଶ୍ରୁ ଆସିଗଲା, ଅନେକେ ତାଙ୍କ ସହ ଦୁଃଖବେଳେ ଛିଡ଼ା ହେଲେ । କିନ୍ତୁ ଉତ୍ତରପ୍ରଦେଶର ଜଣେ ଝିଅକୁ ଚାରି ଜଣ ମିଶି ଦୁଷ୍କର୍ମ କରି ଜିଭ କାଟିବା ପରେ ଆଜି ସେ ମୃତ୍ୟୁ ବରଣ ମଧ୍ୟ କଲେ । ତଥାପି ସେହି ତଥାକଥିତ ରାଷ୍ଟ୍ରବାଦୀମାନେ କୁଆଡ଼େ ଗଲେ ବୋଲି ଲୋକେ ଆକ୍ଷେପ କରିଛନ୍ତି ।
ଉତ୍ତରପ୍ରଦେଶରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ ସହ ଜିଭ କାଟିଥିବା ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।
