(୨୧/୯) ଗତ ଦୁଇ ବର୍ଷ ହେଲା ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଓ ‘ତାଲିବାନୀ’ ଶାସନ ଚାଲିଥିବା ଅଭିଯୋଗ ହୋଇଛି । ଶ୍ରୋତାମାନଙ୍କୁ ଗୁରୁତ୍ୱ ମିଳୁ ନଥିବାବେଳେ ସେମାନଙ୍କ ପ୍ରତିଭାକୁ ଅଣଦେଖା କରାଯାଉଛି । ବର୍ତ୍ତମାନ ଆକାଶବାଣୀ ସମ୍ବଲପୁରରେ ପଦୋନ୍ନତି ପାଇ କେନ୍ଦ୍ର ନିର୍ଦ୍ଦେଶକ ପଦବୀରେ ଥିବା ଶ୍ରୀ ପ୍ରଫୁଲ୍ଲ ମାଝୀଙ୍କ ୨୦୧୭ ମସିହାରେ ଏଠାରୁ ବଦଳି ପରେ ଏହି କେନ୍ଦ୍ର ରେ ପୂର୍ବ ଭଳି ଆଉ କାର୍ଯ୍ୟକ୍ରମମାନ ପରିବେଷଣ ହେଉ ନାହିଁ । ତାହାର ପ୍ରମୁଖ କାରଣ ଭିତରୁ ଗୋଟିଏ ହେଲା-ଶ୍ରୀ ମାଝୀଙ୍କ ପଦବୀରେ ଏଠାରେ କାର୍ଯ୍ୟକ୍ରମ ନିଷ୍ପାଦକ ଭାବେ ଯୋଗ ଦେଇଥିବା ଲକ୍ଷ୍ମଣ କୁମାର ପଣ୍ଡା ବର୍ଷର ଅଧିକାଂଶ ସମୟ କେନ୍ଦ୍ରରେ ଅନୁପସ୍ଥିତ ରହିବା । ଏହି ସୁଯୋଗରେ ପ୍ରସାରଣ ଅଧିକାରୀ ଭାବେ ଯୋଗ ଦେଇଥିବା ଜନୈକ ଅଧିକାରୀ ନିଜକୁ କେନ୍ଦ୍ରର ସର୍ବେସର୍ବା ଭାବି କେନ୍ଦ୍ରର ଉପସ୍ଥାପକମାନଙ୍କ ନିମନ୍ତେ ଏକ ଡ୍ରେସ୍ କୋର୍ଡ଼ ନିୟମ ଲାଗୁ କରିବାକୁ ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜନୈକ ପ୍ରସାରଣ ଅଧିକାରୀ ଶ୍ରୀ ପଣ୍ଡାଙ୍କ କାନ୍ଧରେ ବନ୍ଧୁକ ରଖି ଅନେକ ସମୟରେ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ଉପସ୍ଥାପକ ଓ ଉଦଘୋଷକମାନଙ୍କୁ ହଇରାଣ କରୁଥିବା ଓ ସେପରି ନିଷ୍ପତ୍ତିକୁ ଶ୍ରୀ ପଣ୍ଡା ନିରବ ସମର୍ଥନ କରୁଥିବା ମଧ୍ୟ ଶୁଣିବାକୁ ମିଳେ । ଏପରିକି ଆକାଶବାଣୀର ନାମକୁ କେହି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରି ପାରିବେ ନାହିଁ ବୋଲି କଟକଣା ଥିବା ସତ୍ତ୍ୱେ, ସେ ଏକ ନିର୍ଦ୍ଧିଷ୍ଟ ରଙ୍ଗର ଏକ ବନିଆନ୍ରେ ଆକାଶବାଣୀର ସାଙ୍କେତିକ ଚିହ୍ନ(ଲୋଗୋ) ପରି ଦେଖା ଯାଉଥିବା ନାମକୁ ଛାପି କେତେକ ଷ୍ଟାଫଙ୍କୁ ତାହା ଯୋଗାଇଥିବା ମଧ୍ୟ ଜାଣିବାକୁ ମିଳିଛି ଓ ସେ ନିଜେ ଏପରି ଏକ ବନିଆନ୍ ପିନ୍ଧିଥିବା ଫଟୋକୁ ଅନେକ ଲୋକଙ୍କୁ ଦେଇଥିବା ଆଲୋଚନା ହେଉଛି । ଏହି କେନ୍ଦ୍ରରେ କୌଣସି ନିୟମକାନୁନ ଯେମିତି କିଛି ନାହିଁ, କେହି ଯଦି କୌଣସି ବେଆଇନ୍ ଆଦେଶର ପ୍ରତିରୋଧ କଲେ, ତାଙ୍କୁ ପଦବୀରୁ ‘ହତ୍ୟା’ କରିବାକୁ ଶ୍ରୀ ପଣ୍ଡାଙ୍କ ଧମକ୍ ଉପସ୍ଥାପକମାନଙ୍କ ନିମନ୍ତେ ଏକ ଚିର ପରିଚିତ ଶଦ୍ଦ । ସେଥିପାଇଁ ଅନେକ ସ୍ଥଳରେ ଉପସ୍ଥାପକମାନେ ସେସବୁକୁ ସହିଯିବାକୁ ବାଧ୍ୟ ହୁଅନ୍ତି । ହେଲେ ‘ଲକ୍ ଡାଉନ୍’ ସମୟରେ ଶ୍ରୀ ପଣ୍ଡା ଓ ଜନୈକ ପ୍ରସାରଣ ଅଧିକାରୀଙ୍କ ଏକ କାର୍ଯ୍ୟ ସେମାନଙ୍କ ଦକ୍ଷତାକୁ ପଦାରେ ପକାଇ ଦେଇଛି । ‘ଲକ୍ ଡାଉନ୍’ ସମୟରେ ସବୁଆଡ଼େ ଯିବାଆସିବା କଟକଣା ଥିବାବେଳେ ବଲାଙ୍ଗୀର ସହରରୁ ଦୂରରେ ରହୁଥିବା ଉପସ୍ଥାପକମାନେ, ଯେଉଁମାନଙ୍କ ପାଖରେ କୌଣସି କମ୍ପ୍ୟୁଟରର ସୁବିଧା ଘରେ ନାହିଁ, ସେମାନଙ୍କ କାର୍ଯ୍ୟକ୍ରମକୁ ସମ୍ପାଦନା କରି ପ୍ରସ୍ତୁତ କରିବାକୁ ମାସିକ ଚାର୍ଟରେ ଏକ ବରିଷ୍ଠ ଉପସ୍ଥାପକଙ୍କୁ ଲିଖିତ ଆଦେଶ ଦିଆଗଲା । ହେଲେ ଏହା ଯେ ଏକ ବେଆଇନ୍ ଆଦେଶ, ଏହା ଆକାଶବାଣୀ ତଥା ବାହାରେ ମଧ୍ୟ ଖୁବ୍ ଚର୍ଚ୍ଚା ହେଲା । ଜନୈକ ପ୍ରସାରଣ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ଶ୍ରୀ ପଣ୍ଡାଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ଏହି ବେଆଇନ୍ ଆଦେଶକୁ ମାନିବାକୁ ଉପସ୍ଥାପକ ଜଣକ ମନା କରି ଦେବାରୁ ତାଙ୍କୁ ତା ପରବର୍ତ୍ତି ମେ ମାସର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆଉ ସୁଯୋଗ ଦିଆଗଲା ନାହିଁ । ଏହା ଜାଣି ଉକ୍ତ ବରିଷ୍ଠ ଉପସ୍ଥାପକ ତାଙ୍କ ‘କିଶାନବାଣୀ’ ବିଭାଗର ଗ୍ରୁପ୍ ହ୍ୱାଟସ୍ଆପ୍ରେ ପ୍ର୍ତିବାଦ କରିବାରୁ ତାଙ୍କୁ ତିନି ମାସ ପାଇଁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାରୁ ବାଦ୍ ଦିଆଯାଉଛି ବୋଲି ଶ୍ରୀ ପଣ୍ଡା ସିଧା ଶୁଣାଇଲେ । ଏହା ପରେ ସ୍ଥାନୀୟ ବିଧାୟକଙ୍କଠୁ ଆରମ୍ଭ କରି ଆକାଶବାଣୀର ମହା ନିର୍ଦ୍ଦେଶକ, ପ୍ରସାର ଭାରତୀର ସିଇଓ ଓ କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କ ପାଖକୁ ସେ ଲିଖିତ ଅଭିଯୋଗ କରିଥିଲେ ବି ଏଯାଏଁ କୌଣସି ନ୍ୟାୟ ପାଇ ନାହାନ୍ତି ବୋଲି ଜଣାପଡ଼ିଛି । ଜନୈକ ପ୍ରସାରଣ ଅଧିକାରୀ ଉକ୍ତ ବରିଷ୍ଠ ଉପସ୍ଥାପକଙ୍କୁ ଉକ୍ତ ପଦବୀରୁ ହଟାଇ ଦେବାକୁ ଅନ୍ୟ ସାଥି ଉପସ୍ଥାପକମାନଙ୍କଠୁ ଦସ୍ଥଖତ ଲୋଡ଼ିଥିଲେ ବି କେହି ତାଙ୍କୁ ଏଥିରେ ସହଯୋଗ ନ କରିବାରୁ ଉଭୟେ ଏବେ ‘ରିଭ୍ୟୁ-ଅଡିସନ୍’ କରି ତାଙ୍କୁ ବାହାର କରିବାକୁ ଯୋଜନା କରୁଥିବା ସନ୍ଦେହ ହୋଇଛି । ତେବେ ଏହି ବରିଷ୍ଠ ଉପସ୍ଥାପକଙ୍କ ସମେତ ‘ମାତୃତ୍ୱ’ ପାଇଁ ଦୁଇ ଜଣ ଅନ୍ୟ ବରିଷ୍ଠ ଉଦ୍ଘୋଷକ ତିନି ମାସ ପାଇଁ ଛୁଟିରେ ରହିବା ପରେ ପୁନର୍ବାର କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆଗ୍ରହ ଦେଖାଇଥିବା ସତ୍ତ୍ୱେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଉ ନଥିବା ଜାଣିବାକୁ ମିଳିଛି । କୌଣସି ସରକାରୀ ସଂସ୍ଥାରେ କାର୍ଯ୍ୟରତ ଲୋକଙ୍କୁ ‘ଲକ୍ଡାଉନ୍’ ସମୟରେ ନିଜ କାର୍ଯ୍ୟରୁ ନିବୃତ୍ତ ନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏହି କେନ୍ଦ୍ରରେ ତାହା ଉଲଂଘନ ହୋଇଥିବା ଜଳଜଳ ହୋଇ ଦେଖା ଯାଉଛି । ମହାମାରୀ କରୋନା ସମୟରେ ସରକାର ଲୋକଙ୍କୁ ଅଗ୍ରୀମ ଭାବେ ଅର୍ଥ ଯୋଗାଇ ଦେଉଥିବାବେଳେ ଏଠି କାର୍ଯ୍ୟ କରୁଥିବା ଉଦ୍ଘୋଷକମାନେ ତିନି ମାସ ହେଲା ତାଙ୍କର ପ୍ରାପ୍ୟ ମଧ୍ୟ ପାଇ ନଥିବା ଜଣାପଡ଼ିଛି । ତେବେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ସତରେ କଣ ନିୟମକାନୁନର କିଛି ମହତ୍ତ୍ୱ ନାହିଁ, ଏଠି କଣ ‘ତାଲିବାନୀ’ ଶାସନ ଚାଲିଛି କି ଯାହାକୁ ଶୁଣିବାକୁ କେନ୍ଦ୍ର ସରକାର ମଧ୍ୟ ବଧିର ହୋଇ ଯାଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ‘ତାଲିବାନୀ’ ଶାସନ, କେନ୍ଦ୍ର ସରକାର ବି ଅଭିଯୋଗ ଶୁଣିବାକୁ ବଧିର !
