(୧୫/୧୦) ମୁମ୍ବେଇ ପୋଲିସଦ୍ୱାରା କରାଯାଇଥିବା ସମନକୁ ଖାରଜ କରିବାକୁ ରିପବ୍ଲିକ ଟିଭି ଓ ଏହାର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ରିଟ୍ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ତାଙ୍କୁ ମୁମ୍ବେଇ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜଷ୍ଟିସ ଚନ୍ଦ୍ରଚୂଡ଼ ଏହି ମାମଲାର ବିଚାର କରି କହିଲେ, ଆମର ହାଇକୋର୍ଟମାନଙ୍କ ଉପରେ ଆମେ ଭରସା କରିବା କଥା । ହାଇକୋର୍ଟର ହସ୍ତକ୍ଷେପ ନ ଲୋଡ଼ିଲେ, ଏହା ହାଇକୋର୍ଟକୁ ଏକ ଭୁଲ ବାର୍ତ୍ତା ଯିବ । ସେମାନେ କରୋନା ମହାମାରୀ ସମୟରେ ମଧ୍ୟ କୋର୍ଟ କାର୍ଯ୍ୟ ପରିଚାଳନା କରୁଛନ୍ତି ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ । ଆବେଦନକାରୀଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ହରିଶ ସାଲ୍ଭେ ଏହା ପରେ ଏହାକୁ ପ୍ରତ୍ୟାହାର କରି ହାଇକୋର୍ଟରେ ଆବେଦନ କରିବାକୁ ରାଜି ହୋଇଥିଲେ । ସ୍ୱଳ୍ପ ସମୟର ଶୁଣାଣି ଭିତରେ ନ୍ୟାୟପୀଠ ମୁମ୍ବେଇ ପୋଲିସ କମିସନର ଗଣମାଧ୍ୟମକୁ ଦେଇଥିବା ବିବୃତିକୁ ମଧ୍ୟ ଜାଣିଥିବା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୮ ତାରିଖ ଦିନ ମୁମ୍ବେଇ ପୋଲିସ୍ ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟସ୍) କୁ ନେଇ ରିପବ୍ଲିକ ଟିଭି ସମେତ ଦୁଇଟି ମରାଠି ଚ୍ୟାନେଲ କେତେକ ବେଆଇନ ଉପାୟ ଅବଲମ୍ବନ କରିଥିବା ଅଭିଯୋଗ କରିଛନ୍ତି । ନିରକ୍ଷର ଘର ମାଲିକମାନଙ୍କୁ ପ୍ରତି ମାସରେ ୪୦୦ ରୁ ୫୦୦ ଟଙ୍କା ଦେଇ ସେମାନଙ୍କୁ ଇଂରାଜୀ ଟିଭି ଚ୍ୟାନେଲ ଦେଖିବାକୁ କୁହାଯାଉଥିଲା ବୋଲି ପୋଲିସ ସୂଚନା ଦେଇଛି ।
ଟିଆର୍ପିକୁ ନେଇ ଅର୍ଣ୍ଣବ ଗୋସ୍ୱାମୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରି କହିଲେ, ଆମ ହାଇକୋର୍ଟକୁ ଭରସା କରିବାକୁ ହେବ !
