(୩୧/୮) ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୁଇଟି ଟ୍ୱିଟ ପାଇଁ ଗତ ୧୪ ତାରିଖ ଦିନ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଆଜି ଦଣ୍ଡ ଶୁଣାଇଛନ୍ତି । କୋର୍ଟ ଅବମାନନା ଦୋଷରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ୨୦ ତାରିଖ ଦିନ କୋର୍ଟ ଦଣ୍ଡ ଶୁଣାଇବେ ବୋଲି ଆଶା କରାଯାଉଥିଲା, ମାତ୍ର ସେହି ଦିନ କୋର୍ଟ ଶୁଣାଣି ସମୟରେ ଶ୍ରୀ ଭୂଷଣଙ୍କୁ ଅଧିକ ସମୟ ଦେଇ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମଧ୍ୟ ଶ୍ରୀ ଭୂଷଣ କୌଣସି ଅନୁସୋଚନା କରିବେ ନାହିଁ ବରଂ ଦଣ୍ଡକୁ ସ୍ୱୀକାର କରିବେ ବୋଲି କୋର୍ଟକୁ ଜଣାଇବା ପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ୧ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଜରିମାନା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି ଓ ଯଦି ଉକ୍ତ ସମୟସୀମା ମଧ୍ୟରେ ସେ ଜରିମାନା ଦାଖଲ ନ କରନ୍ତି, ତେବେ ୩ ମାସ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ୩ ବର୍ଷ ପାଇଁ ତାଙ୍କୁ ଓକିଲାତି କାମ କରିବାକୁ ବାରଣ ମଧ୍ୟ କରାଯାଇପାରେ ବୋଲି କୋର୍ଟ କହିଛନ୍ତି । ଦଣ୍ଡ ଶୁଣିବା ପରେ ଶ୍ରୀ ଭୂଷଣ ଏହାକୁ ସାଦରେ ଗ୍ରହଣ କରିୁ ଉକ୍ତ ଜରିମାନା ରାଶିକୁ ତାଙ୍କ ଓକିଲ ତଥା ସହଯୋଗୀ ରାଜୀବ ଧାୱନଙ୍କ ଜରିଆରେ ସଙ୍ଗେସଙ୍ଗେ ଜରିମାନା ଅର୍ଥ ଦାଖଲ କରିଥିବା ଶ୍ରୀ ଭୂଷଣ ସୂଚନା ଦେଇଛନ୍ତି । ଆଜିର ଏହି ଦଣ୍ଡ କୁଳ ଭୂଷଣ ଯାଦବଙ୍କ ପାଇଁ ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସରେ ଭାରତର ପକ୍ଷ ରଖିଥିବା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ହରିଶ ସାଲଭେ ନେଇଥିବା ୧ ଟଙ୍କାକୁ ମନେ ପକାଇଦିଏ । ଦଣ୍ଡ ଶୁଣିବା ପରେ ତାଙ୍କୁ ଦୃଢ଼ ଭାବେ ଛିଡ଼ା ହେବାକୁ ଉତ୍ସାହ ଦେଇଥିବା ଅଗଣିତ ସାମାଜିକ କାର୍ଯ୍ୟକର୍ତ୍ତା, ଆଇନଜୀବୀ, ବିଚାରପତି ଓ ଦେଶର ନାଗରୀକମାନଙ୍କୁ ଶ୍ରୀ ଭୂଷଣ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଘଟଣାଟି ଲୋକଙ୍କୁ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଯୋଗାଇବ ।
କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ଶୁଣାଇଲେ
