ଇସ୍ରାୟେଲରେ କରୋନା ଟୀକାର ସଫଳ ପରୀକ୍ଷଣର ଖବର ଆସିଲା

ଇସ୍ରାୟେଲୀ ସୁରକ୍ଷା ମନ୍ତ୍ରଣାଳୟର ଏକ ପରୀକ୍ଷାଗାରରେ କରୋନା ଭୂତାଣୁ ଟୀକାର ସଫଳ ପରୀକ୍ଷଣ ହୋଇଥିବା ଖବର ମିଳିଛି । ପରୀକ୍ଷା ସମୟରେ ଇସ୍ରାୟେଲର ଜୈବ ଗବେଷଣା ପ୍ରତିଷ୍ଠାନ ମୂଷାମାନଙ୍କୁ ଟୀକା ପାଇଥିବା ଓ ଟୀକା ପାଇ ନ ଥିବା ମୂଷାକୁ ଦୁଇ ଭାଗରେ ବିଭକ୍ତ କଲେ । ଗବେଷକମାନେ ଉଭୟ ଦଳର ମୂଷାମାନଙ୍କଠାରେ କରୋନା ଭୂତାଣୁକୁ ବିସ୍ତାର କରାଇଲେ । ଯେଉଁ ଦଳର ମୂଷାମାନଙ୍କୁ ଟୀକା ଦିଆଯାଇ ନ ଥିଲା ସେମାନେ ଦୁର୍ବଳ ହୋଇଗଲେ, ହେଲେ ଯେଉଁ ଦଳର ମୂଷାମାନଙ୍କୁ ଟୀକା ଦିଆ ଯାଇଥିଲା ସେମାନେ କୌଣସି ପ୍ରକାର କ୍ଷତିଗ୍ରସ୍ତ ହୋଇଥିବା ଦେଖାଗଲା ନାହିଁ ବୋଲି ଇସ୍ରାୟେଲର ଚ୍ୟାନେଲ ୧୨ ରେ ପ୍ରକାଶ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମଣିଷ ଶରୀରରେ ପରୀକ୍ଷା କରିବା ପୂର୍ବରୁ ଅନ୍ୟ ଜୀବଜନ୍ତୁଙ୍କଠାରେ ପ୍ରଥମେ ପ୍ରୟୋଗ କରାଯିବ । ଗବେଷକମାନଙ୍କ ଆଶା ଯେ ଏହା ଗୋଟିଏ ବର୍ଷ ବା ତାଠୁ କମ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇଯିବ । ଏହି ମାସର ଆରମ୍ଭରେ ଏଠାରେ କରୋନା ଭୂତାଣୁକୁ ପୃଥକ କରି ତାକୁ ସ୍ୱାଭାବିକ କରି ଦିଆ ଯାଉଥିବା ଖବର ମଧ୍ୟ ଆସିଥିଲା । ପୃଥିବୀର ଅନେକ ଗବେଷଣାଗାରରେ ଏଭଳି ପରୀକ୍ଷା ନିରୀକ୍ଷା ଚାଲିଥିଲେ ବି ଇସ୍ରାୟେଲର ଏ ତ୍ରୀ-ସ୍ତରୀୟ ପରୀକ୍ଷା ପୃଥିବୀରେ ପ୍ରଥମ ବୋଲି ସେମାନେ ଦାବି କରିଛନ୍ତି । ଏହି ତ୍ରୀ-ସ୍ତରୀୟ ପରୀକ୍ଷାରେ ପ୍ରଥମରେ ଭୂତାଣୁକୁ ଲକ୍ଷ ରଖା ଯାଇଥାଏ, ଦ୍ୱିତୀୟରେ ଭୂତାଣୁକୁ ନଷ୍ଟ କରାଯାଇଥାଏ ଓ ତୃତୀୟରେ ରୋଗୀଠାରେ ଚିକିତ୍ସା ପରେ ଯେପରି କୌଣସି ସମସ୍ୟା ନ ହେବ ତାହାକୁ ମଧ୍ୟ ଧ୍ୟାନ ଦିଆଯାଇଥାଏ । ସାରା ବିଶ୍ୱରେ ଏଯାଏଁ ପ୍ରାୟ ୫୦ ଲକ୍ଷ ଲୋକ କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୩ ଲକ୍ଷରୁୁ ଅଧିକ ଲୋକ ମୃତ୍ୟୁ ବରଣ କଲେଣି । ହେଲେ ଉଲ୍ଲେଖନୀୟ ଯେ, ଇସ୍ରାୟେଲରେ ୧୬ ହଜାର ୬୦୦ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ବି ସେ ଭିତରୁ ୧୨ ହଜାର ୯୦୦ ଲୋକ ଭଲ ହୋଇ ସାରିଲେଣି ଓ କେବଳ ୨୭୨ ଜଣ ମୃତ୍ୟୁ ବରଣ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଇସ୍ରାୟେଲରେ କରୋନା ଟୀକାର ସଫଳ ପରୀକ୍ଷଣର ଖବର ଆସିଲା