(୨୦/୮) ଆଧୁନିକ ଭାରତର ନିର୍ମାତା, ଭାରତରତ୍ନ ତଥା ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜିବଗାନ୍ଧୀଙ୍କ ୭୬ତମ ଜନ୍ମବାର୍ଷିକୀରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ଶ୍ରଦ୍ଧାଞ୍ଜଳି ଜଣାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ୟତମ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଦିନ ସଦଭାବନା ଦିବସ ଭାବେ ମନାଇଥିବା ଫଟୋ ସୋସିଏଲ ସେଆର୍ କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱର୍ଗତ ଗାନ୍ଧୀଙ୍କ ସହ ଥିବା ତାଙ୍କର ଅଭୁଲାସ୍ମୃତିକୁ ସୋସିଏଲ ମିଡିଆରେ ସେଆର୍ କରିଛନ୍ତି । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତି ଚାରଣ କରି କହିଛନ୍ତି, ଦେଶରେ ସୂଚନା ଓ ସଂଚାର କ୍ରାନ୍ତିର ଆଧାରଶୀଳା ରଖିଥିବା ସ୍ୱର୍ଗତ ଗାନ୍ଧୀଙ୍କୁ ସର୍ବଦା ମନେ ପକାଯାଉଥିବ । ତେବେ ସ୍ୱର୍ଗତ ଗାନ୍ଧୀ ତାଙ୍କ ଆମେରିକା ଗସ୍ତ କାଳରେ ସେଠିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ନିଜେ ଖୋଦ୍ ତାଙ୍କୁ ଛତା ଧରି ନେଉଥିବାର ଦୃଶ୍ୟ ଲୋକଙ୍କୁ ଅଧିକ ଆକୃଷ୍ଟ କରିଛି । କଂଗ୍ରେସ ଦଳର ଉପ-ସଭାପତି ତଥା ତାଙ୍କ ସୁପୁତ୍ର ରାହୁଲ ଗାନ୍ଧୀ କହିଛନ୍ତି, ସ୍ୱର୍ଗତ ଗାନ୍ଧୀ ତାଙ୍କ ସମୟର ଜଣେ ଦୂରଦର୍ଶୀ ନେତା ଥିଲେ । କିନ୍ତୁ ସେସବୁ ଉପରେ ସେ ଜଣେ ଦୟାଳୁ ଓ ଲୋକଙ୍କୁ ପ୍ରେମ କରୁଥିବା ଲୋକେ ଥିଲେ । ତାଙ୍କୁ ମୋ ବାପା ଭାବରେ ପାଇ ମୁଁ ନିଜକୁ ଭାଗ୍ୟବାନ ଓ ଗର୍ବ ଅନୁଭବ କରେ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ।
ଭାରତରତ୍ନ ତଥା ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ବାର୍ଷିକୀରେ ବିଶିଷ୍ଟ ବ୍ୟକ୍ତି ମନେ ପକାଇଲେ
