(୨୮/୯) କଥାରେ ଅଛି ବଣର ମଲ୍ଲି ବଣରେ ଫୁଟି ବଣରେ ବାସିଥାଏ। ଏହିପରି ଘଟଣା ଘଟିଛି ଜଣେ ମେକାନିକାଲ ଯୁବ ଇଞ୍ଜିନିୟରଙ୍କ ସହ । ଏବେ ସେ ଯୁବ ପିଢ଼ି ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି । ପିଲାଟି ଦିନରୁ କିଛି ନୂଆଁ କରି ଦେଖାଇବା ଆଶା ନେଇ ଆଗକୁ ବଢ଼ିଥିଲେ ସେ। ଦିନଥିଲା ଝରିଗୁମା ରେ ଆଲୁଅ ନଥିଲା, କିନ୍ତୁ ଏବେ ସେ ସେହି ଗାଁରେ ନିଜେ କୃତ୍ରିମ ଆଲୁଅ ଉଦ୍ଭାବନ କରୁଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ଆଉ ଚାରିଜଣଙ୍କ ପରିବାରକୁ ରୋଜଗାରର ପନ୍ଥା ଦେଖାଇଛନ୍ତି। ଏଭଳି ଏକ ଯୁବ ପ୍ରତିଭା ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ଗ୍ରାମର ଶୁଭ ଶଙ୍କର ସାହୁ।ଶୁଭ ଶଙ୍କର ମେକାନିକାଲ ବର୍ଗରେ ଇଂଜିନିୟରିଂରେ ଡିପ୍ଲୋମା କରିଛନ୍ତି। ପାଠପଢ଼ା ସାରିବା ପରେ ଚାକିରୀ ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଚାକିରୀ ଖଣ୍ଡେ ନ ପାଇ ଗାଁରେ ବେରୋଜଗାର ହେଇ ରହୁଥିଲେ। ଆଉ ଦିଲ୍ଲୀର ଏକ କମ୍ପାନୀ ସହ କଥା ହୋଇ ଦିଲ୍ଲୀରୁ କଞ୍ଚାମାଲ ଆଣି ଏବେ ନିଜେ ୯ ୱାଟ ଓ ୧୫ ୱାଟ ବଲ୍ବ ସହ ଇନଭର୍ଟର ବଲ୍ବ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ବଲବର ୱାରେଣ୍ଟି ୧ ବର୍ଷ ଥିବାବେଳେ ଏହା ବଜାରରୁ ମଧ୍ୟ ବହୁତ କମ ମୂଲ୍ୟରେ ମିଳୁଥିବାରୁ ଲୋକେ ଅଧିକରୁ ଅଧିକ କିଣି ନେଉଥିବା କହିଛନ୍ତି ସୁଭଷଙ୍କର। ସେ ମେକାନିକାଲ ଇଂଜିନିୟରିଂ ପାଠ ପଢ଼ିଥିଲେ ମଧ୍ୟ ଏବେ ଇଲେକ୍ଟ୍ରିକାଲ ବୃତ୍ତିକୁ ଆପଣାଇ ଭଲରେ ଦୁଇ ପଇସା ରୋଜଗାର କରି ଅନ୍ୟ ଯୁବକ ଯୁବତୀମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି। ଆଗକୁ ଏକ ବଡ଼ ଉଦ୍ୟୋଗ କରି ଏହି ଅଂଚଳର ବେକାରୀ ସମସ୍ୟାକୁ ଦୂର କରି ଯୁବ ପିଢ଼ିକୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ସ୍ୱପ୍ନ ଦେଖିଛନ୍ତି ସେ। ସୁଭଷଙ୍କର ଏଭଳି ଉଦ୍ୟମ ପାଇଁ ପରିବାର ଲୋକେ ବହୁତ ଖୁସି ହେଉଥିବାବେଳେ ଶୁଭ ଶଙ୍କର ଙ୍କୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମିଳିଲେ ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ଉଦ୍ୟୋଗ କରି ଯୁବ ପିଢ଼ିଙ୍କ ଆଦର୍ଶ ପାଲଟିଲେ ମେକାନିକାଲ ଇଞ୍ଜିନିୟର ଶୁଭ ଶଙ୍କର ।
