(୦୮/୯) ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ପୁଣି ଶ୍ରମିକ ଟ୍ରେନ ଚଳାଇବାକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ପିୟୁସ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ଗୁ୍ଜୁରାଟ ଓ ଅନ୍ୟ ରାଜ୍ୟକୁ ଟ୍ରେନ ଚଳାଇବାକୁ ତାଙ୍କୁ ଅନୁରୋଧ କରିଥିବା ସେ ସୂଚନା ଦେଇଛନ୍ତି । ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଜଣାଇଛନ୍ତି । ଦେଶର ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡ଼ିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ‘ଶ୍ରମିକ ସ୍ପେସାଲ୍ ଟ୍ରେନ’ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋୟଲଙ୍କୁ ପତ୍ର ଲେଖିଥିବା ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ଦେଶସାରା ଲକଡାଉନକୁ ପ୍ରତ୍ୟାହାର କରାଯାଉଥିବାବେଳେ ଏବେ ଆମେ ସମସ୍ତେ ସ୍ୱାଭାବିକ ସ୍ଥିତିକୁ ଫେରୁଛୁ । ଏହି ସମୟରେ ବାହାରେ କାମ କରୁଥିବା ଲୋକଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି । ଏହି ଲୋକମାନଙ୍କ ପାଇଁ ଓଡ଼ିଶାରୁ ବସ୍ ସେବା ଯୋଗାଇ ଦେବାକୁ କିଛି ସଂସ୍ଥା ଇଚ୍ଛା ପ୍ରକାଶ କରିଥିଲେ ବି ବର୍ତ୍ତମାନ ବର୍ଷାଦିନରେ ସଡ଼କ ପଥରେ ଦୂରଯାତ୍ରା ସୁରକ୍ଷିତ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଓଡ଼ିଶାରୁ ପୁଣି ‘ଶ୍ରମିକ ସ୍ପେସାଲ୍ ଟ୍ରେନ’ ଚଳାଇବାକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ
