କରୋନା ଭୟ ଯୋଗୁୁଁ ଲୋକଙ୍କ ମଧ୍ୟରେ କିପରି ଭୟ ରହିଛି ତାହାର ଏକ ନମୁନା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ କେଛୋଦାଦର ଗ୍ରାମ ପଂଚାୟତର ମହାରାଣି ମେରିପୁର ଗାଁରେ । ଏହି ଗାଁରେ ଗତ ତିନି ବର୍ଷ ହେବ ଛତିଶଗଡ଼ର ଜଣେ ବ୍ୟକ୍ତି ଆସି ରହୁଛନ୍ତି । ସେ ଘର ତିଆରି କାମରେ ଦରକାର ହେଉଥିବା ଏକ ମିକ୍ସଚର ମେସିନ ଭଡ଼ାରେ ଦେଇଥାନ୍ତି । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ସମୟରେ ଘର ତିଆରି କାମ ବନ୍ଦ ହୋଇ ଯାଇଥିବାରୁ ସେ ଛତିଶଗଡ଼କୁ ଚାଲି ଯାଇଥିଲେ ଓ ଚଳିତ ମାସ ୧୮ ତାରିଖ ଦିନ ପୁଣି ମୋଟର ସାଇକେଲରେ ଛତିଶଗଡ଼ରୁ ଫେରିଥିଲେ । ସେହିଦିନ ମହାରାଣୀପୁର ଗାଁର ଦୁଇଜଣ ଶ୍ରମିକ ଗୋବିନ୍ଦ ସାହୁ ଓ ତାଙ୍କ ପୁଅ ଡମ୍ବରୁଧର ସାହୁଙ୍କ ସହ ମେସିନ ନେଇ ଫ୍ରେଜରପୁରକୁ ଏକ ଘର ତିଆରି କାମରେ ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ଛତିଶଗଡ଼ର ଲୋକଙ୍କ ସହିତ ମିଶିଥିବା ଅଭିଯୋଗ କରି ଉକ୍ତ ଶ୍ରମିକ ବାପପୁଅ ଦ୍ୱୟଙ୍କୁ ଗାଁରେ ଆଉ ପଶି ଦେଇ ନଥିଲେ । ଫଳରେ ସେମାନେ ଅନୋନ୍ୟପାୟ ହୋଇ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେଲେ । କିନ୍ତୁ ଥାନାବାବୁ ଏକଥା ସରପଂଚ ବୁଝିବେ କହି ସରପଂଚଙ୍କ ପାଖକୁ ପଠାଇଦେଲେ । ଅନ୍ୟ ରାଜ୍ୟର ଲୋକଙ୍କ ସହ ମିଶି ଥିବାରୁ ସେମାନଙ୍କ ପରୀକ୍ଷା କରାଯିବ ବୋଲି ସରପଂଚ କହି ସେମାନଙ୍କୁ କେଛୋଦାଦର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ନିକଟରେ ଏକ ମହୁଲ ଗଛ ତଳେ ଆଜିକୁ ପ୍ରାୟ ୫ ଦିନରୁ ଅଧିକ ହେଲାଣି ରହୁଛନ୍ତି । ପଂଚାୟତ ତରଫରୁ ସେମାନଙ୍କୁ ଖାଇବାକୁ ଯୋଗାଇ ଦିଆଯାଉଛି । କିନ୍ତୁ ଘରେ ଗୋବିନ୍ଦଙ୍କ ସ୍ତ୍ରୀ ଏକୁଟିଆ ରହୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।(ରିପୋର୍ଟ-ଗୋପବନ୍ଧୁ ସିକା)
କରୋନା ଭୟ ଯୋଗୁଁ ମହୁଲ ଗଛ ତଳେ ଶ୍ରମିକ ବାପ-ପୁଅଙ୍କ ଆଶ୍ରୟ। ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବୀ।
