(୧୦/୯) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘ ଓଡ଼ିଶା ବିଶ୍ୱବିଦ୍ୟାଳୟ ନିୟମରେ ରାଜ୍ୟ ସରକାର କରିଥିବା ସଂଶୋଧନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ସଂଶୋଧିତ ନିୟମ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତ ଶାସନକୁ ବାଧା ପହଂଚିବ ବୋଲି ଅଧ୍ୟାପକମାନେ ଆଶଙ୍କା କରିଛନ୍ତି । ଏହି ଅଧ୍ୟାଦେଶଟି ମହାମାରୀ ସମୟରେ ବିନା କୌଣସି ଆଲୋଚନା ବା ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ଅନୁଷ୍ଠାନମାନଙ୍କ ମତାମତ ନ ନେଇ ସରକାର ପାଶ କରିଛନ୍ତି ବୋଲି ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘର ସଭ୍ୟମାନେ କହିଥିବା ଜାଣିବାକୁ ମିଳିଛି । ଅଧ୍ୟାପକ ସଂଘର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ସାଧାରଣ ବୈଠକରେ ଏହି ସଂଶୋଧନରେ ଥିବା ସମସ୍ୟା ଓ ଏହାକୁ ବିରୋଧ କରିବା ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା । ସଂଶୋଧିତ ଆଇନ ଅନୁସାରେ ବର୍ତ୍ତମାନ ସରକାର କେବଳ ଓଡ଼ିଶା ପବ୍ଲିିକ୍ ସର୍ଭିସ କମିସନ ଜରିଆରେ ଅଧ୍ୟାପକ ଚୟନ କରିବେ । ପୂର୍ବରୁ କିନ୍ତୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଏକ କମିଟି ଜରିଆରେ ଅଧ୍ୟାପକ ଚୟନ ହେଉଥିଲା । ସଂଶୋଧିତ ନିୟମ ଦ୍ୱାରା ଅଧ୍ୟାପକ ଚୟନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କ୍ଷମତାକୁ ସଂକୁଚିତ କରାଯାଇଥିବାରୁ ବିଶ୍ୱବିଦ୍ୟାଳୟ ଏହାଦ୍ୱାରା ପ୍ରଭାବିତ ହେବ । ବର୍ତ୍ତମାନ ସଂଶୋଧିନ ହୋଇଥିବା ନିୟମ ଅନୁଯାୟୀ ଛାତ୍ର, ଅଧ୍ୟାପକ, ଶିକ୍ଷାବିତ୍ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଲୋକଙ୍କୁ ନେଇ ଗଠନ କରାଯାଉଥିବା ସିନେଟ୍କୁ ଉଠାଇ ଦିଆଯାଇଛି ବୋଲି ସଭ୍ୟମାନେ ପ୍ରକାଶ କରିଛନ୍ତି ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଧ !
