(୧୦/୧୦/୨୦୨୦) ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ନିକଟସ୍ଥ ଇନ୍ଦ୍ରାବତୀ ବ୍ରିଜ ତଳୁ ଗତ ୫ ତାରିଖ ଦିନ ଜଣେ ଯୁବତୀଙ୍କ ମୃତ ଦେହକୁ ଖାତିଗୁଡ଼ା ପୋଲିସ ଉଦ୍ଧାର କରିଥିଲା। ମୃତ ଯୁବତୀ ଜଣଙ୍କ ଖାତିଗୁଡ଼ା ପାଇକ ସାହିର ବୋଲି ଜଣାପଡିଥିଲା। ଯୁବତୀଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ହେଉଥିଲା । ଯୁବତୀ ନିଜେ ବ୍ରିଜ ତଳକୁ ଡେଇଁ ଆତ୍ମହତ୍ୟା କରି ନାହାନ୍ତି ତ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । କିନ୍ତୁ ଯୁବତୀଙ୍କ ସହ ତାଙ୍କ ସାହିର ବଳରାମ କମାର ନାମକ ଜଣେ ଯୁବକଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ତେଣୁ ଯୁବତୀଙ୍କ ପରିବାର ଲୋକେ ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିବା କଥାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଆଉ ଏହା ଏକ ଆତ୍ମହତ୍ୟା ନୁହେଁ । ପ୍ରେମିକ ବଳରାମ ନିଜେ ଯୁବତୀଙ୍କୁ ଫୋନ କରି ଡାକି ଦୁଷ୍କର୍ମ ପରେ ହତ୍ୟା କରିଥିବା ଯୁବତୀଙ୍କ ଭାଇ ଅଭିଯୋଗ କରିଥିଲେ। ତେଣୁ ଅଭିଯୋଗକୁ ଭିତ୍ତି କରି ଖାତିଗୁଡ଼ା ପୋଲିସ ସଙ୍ଗେ ସଙ୍ଗେ ପ୍ରେମିକ ଯୁବକ ଜଣକୁ ଥାନାରେ ଅଟକ ରଖିଥିଲେ। ନବରଙ୍ଗପୁର ଏସପି ନିତିନ କୁସଲକର ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଥାପି ଅଭିଯୁକ୍ତ ପ୍ରେମିକ ନିଜେ ପ୍ରେମିକାକୁ ମାରିଥିବା କଥାକୁ ସତ ମାନି ନଥିଲା। ଅଭିଯୁକ୍ତକୁ ବାରମ୍ବାର ଜେରା କରିବା ପରେ ପ୍ରେମିକ ଯୁବକ ପ୍ରେମିକାକୁ ନିଜେ ଫୋନ କରି ଡାକି ବ୍ରିଜ ତଳକୁ ଠେଲି ଦେଇଥିବା ସବୁ ସତ ଉଗାଳିଥିଲା। ବର୍ତ୍ତମାନ ପ୍ରେମିକ ବଳରାମ କମାରକୁ ଖାତିଗୁଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଘଟଣା ପଦାକୁ ଆସିବା ପରେ ଖାତିଗୁଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି। ଘଟଣାର ଖୁବ କମ ଦିନରେ ଅଭିଯୁକ୍ତ ଧରା ପଡ଼ିଥିବାରୁ ଅଞ୍ଚଳବାସୀ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ଇନ୍ଦ୍ରାବତୀ ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ହତ୍ୟାକାରୀ ପ୍ରେମିକ ଗିରଫ
