(୨୩/୯) ଆଜି ବଲାଙ୍ଗୀରରେ କୋଭିଡ୍ ଆଇନ୍ ଉଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବା ଖବର ମିଳିଛି । ପ୍ରଶାସନ ପକ୍ଷରୁ କୋଭିଡ୍ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ଯାଇ ହୋଇଥିବା ଏହି ଚଢ଼ାଉରେ ଔଷଧ ଦୋକାନକୁ ମଧ୍ୟ ବାଦ୍ ଦିଆଯାଇ ନଥିଲା । ସହର ଭିତରେ ଥିବା ସମଲେଶ୍ୱରୀ ମେଡିକାଲ ଷ୍ଟୋର୍ ଓ ବିବେକ ମେଡିକାଲ ଷ୍ଟୋର୍ କୋଭିଡ୍ ଆଇନ ଉଲଂଘନ ଅଭିଯୋଗରେ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଏହା ବ୍ୟତୀତ ଟିଟିଲାଗଡ଼ ରାସ୍ତାରେ ଥିବା ‘ରିଲାଏନ୍ସ ମାର୍ଟ’ ଉପରେ ଚଢ଼ାଉ କରାଯାଇ ଏହାକୁ ମଧ୍ୟ ସିଲ୍ କରାଯାଇଥିବା ଖବର ମିଳିଛି । ଏହି ଚଢ଼ାଉର ନେତୃତ୍ୱ ବଲାଙ୍ଗୀର ଉପ-ଜିଲ୍ଲାପାଳ, ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଟାଉନ୍ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ନେଇଥିବା ଜଣାପଡ଼ିଛି । ପୂର୍ବରୁ ଜିଲ୍ଲାରେ ଏପରି ନିୟମିତ ଚଢ଼ାଉ ହୋଇଥିଲେ, କେଜାଣି ବଲାଙ୍ଗୀରରେ ଏତେ ପରିମାଣରେ ସଂକ୍ରମିତଙ୍କ ସଂଖ୍ୟା ବୃ୍ଦ୍ଧି ପାଇ ନଥାନ୍ତା ବୋଲି ଏହି ଚଢ଼ାଉକୁ ସମର୍ଥନ କରି ସାଧାରଣରେ ମତ ପ୍ରକାଶ ପାଇଛି ।
କୋଭିଡ୍ ଆଇନ୍ ଉଲଂଘନ ଅଭିଯୋଗରେ ବଲାଙ୍ଗୀରରେ ବ୍ୟାପକ ଚଢ଼ାଉ, ପ୍ରଶାସନ ଦ୍ୱାରା ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ !
