ନୂଆ ଶିକ୍ଷାନୀତିକୁ ନେଇ ଉଠିଲା ଅଭିଯୋଗ : ଗରିବ ଦଳିତ ପିଲା ୬ଷ୍ଠ ଶ୍ରେଣୀ ପରେ ଆଗକୁ ପଢ଼ିବା ନେଇ ଆଶଙ୍କା !

ବଲାଙ୍ଗୀରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ‘ସମ୍ବିଧାନ ସଚେତନତା ଅଭିଯାନ, ୨୦୨୦’ ରେ ବକ୍ତାଙ୍କ ମତ !

(୦୨/୧୧) ସମ୍ବିଧାନର ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ସମ୍ବିଧାନ ସଚେତନତା ଅଭିଯାନ, ୨୦୨୦’ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗୀର ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକେ ଯୋଗ ଦେଇ ସମ୍ବିଧାନର ସୁରକ୍ଷାକୁ ନେଇ ବିଷଦ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବିଡିଓ ତରଣୀ ସୁନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ହାଥରସ୍‌ର ଦୁଷ୍କର୍ମ ଘଟଣାକୁ ସର୍ବ ସାଧାରଣ ଭାବେ ନ ନେଇ ତାହା କେବଳ ଜଣେ ଦଳିତ ଝିଅ ଉପରେ ଘଟିଥିବା ଲୋକେ ଚିନ୍ତା କରିଥିଲେ, ଯାହା କି କ୍ଷୋଭର ବିଷୟ ବୋଲି ସେ କହିଥିଲେ । ଏଥର ଯେପରି ସଂସଦରେ ପ୍ରଶ୍ନକାଳକୁ ବନ୍ଦ ରଖାଗଲା, ସେପରି ବାକ୍ ସ୍ୱାଧୀନତାକୁ ସରକାର ବନ୍ଦ କରି ଦେବେନି ତ ବୋଲି ସେ ଆଶଙ୍କା ପ୍ରକଟ କରିଥିଲେ । ତେବେ ସାମାଜିକ ସଚେତନତା, ଗଣତନ୍ତ୍ର ଓ ମାନବାଧିକାରକୁ ନେଇ ଚଳିବାକୁ ହେବ। ଆଇନଦ୍ୱାରା ଅଧିକାରର ସୁରକ୍ଷା ହେବ ନାହିଁ, ବରଂ ଲୋକେ ସଚେତନ ହେଲେ ତାହା ସମ୍ଭବ ବୋଲି ସେ ପ୍ରକାଶ କରିଥିଲେ । ତେବେ ୨୦୧୮ ଅଗଷ୍ଟ ୯ ତାରିଖ ଦିନ ସଂସଦ ଭବନ ସମ୍ମୁଖରେ ସମ୍ବିଧାନକୁ ପୋଡ଼ିବା ଘଟଣା ପରେ ‘ସମ୍ବିଧାନ ସଚେତନତା ଅଭିଯାନ’ ର ଆୟୋଜନ ଚାଲିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବରେ ସୋମନାଥ ଖମାରୀ, ହିମାଂଶୁ ବିଭାର, ଆଦିବାସୀ ବର୍ଗରୁ ସୁରେଖା ଭୁଏ, ମୋହନ ଭୋଇ, ଓବିସି ବର୍ଗରୁ ଆଇନଜୀବୀ ରାଧାକୃଷ୍ଣ ଭୋଇ, ଲାଠୋର ରେଞ୍ଜର ଶ୍ରୀମତୀ ସେଠ୍‌, ନରେଶ ସୁନା, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର ନରେଶ ସୁନା, ବିଦ୍ୟୁତ ପ୍ରଭା ନାଗ, ଏଲଆଇସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ନେପାଳେଶ୍ୱର ତାଣ୍ଡି, ବରଗଡ଼ ମୁସଲିମ ସମାଜର ସମ୍ପାଦକ ମହମ୍ମଦ ନିଜାମ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଆପଣା ବକ୍ତବ୍ୟ ରଖିଥିଲେ । ହିମାଂଶୁ ବିଭାର ଆଲୋଚନାରେ ଅଂଶ ଗ୍ରହଣ କରି ମୋଦୀ ସରକାରଙ୍କ ନୂଆ ଶିକ୍ଷାନୀତି ଯୋଗୁଁ ଲୋକେ ଶିକ୍ଷା ପାଇବାରେ କିପରି ସମସ୍ୟାର ସମ୍ମୁଖୀନ ହେବେ, ତାହା ସେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ନୂଆ ଶିକ୍ଷାନୀତି ଯୋଗୁଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ରସାତଳକୁ ଚାଲିଯିବ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଭୂତ ଉନ୍ନତି ହେବ । ଷଷ୍ଠ ଶ୍ରେଣୀରେ ପିଲା ପଢ଼ିଲା ପରେ ପିଲାଏ ନିଜ ବାପା-ମା ସହ ତାଙ୍କ କୌଳିକ ବୃତ୍ତିରେ ସାହାଯ୍ୟ କଲେ ବି ସେମାନଙ୍କୁ ଆଉ ଶିଶୁ ଶ୍ରମିକ ବୋଲି ଗଣନା କରାଯିବ ନାହିଁ । ଏହାଦ୍ୱାରା ସରକାରୀ ସ୍କୁଲମାନଙ୍କରେ ପଢ଼ୁଥିବା ଗରିବ ଦଳିତ ପିଲାପିଲିମାନଙ୍କର ପାଠପଢ଼ା ଆଉ ଆଗକୁ ବଢ଼ିବା ସମ୍ଭାବନା ଖୁବ କମ୍ । ଦେଶରେ ୧.୨୫ ଲକ୍ଷ ସ୍କୁଲ ଏହାଦ୍ୱାରା ବନ୍ଦ ହୋଇଯିବାର ଆଶଙ୍କା ରହିଛି । ସେହିପରି ଉଚ୍ଚ ଶିକ୍ଷାରେ ମଧ୍ୟ ଜିଲ୍ଲା ସ୍ତରରେ କେବଳ ଗୋଟିଏ ସ୍ୱୟଂଶାସିତ ମହାବିଦ୍ୟାଳୟ ରହିବ ଓ ସେଠାରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ପଇସାରେ ପାଠ ପଢ଼ିବାକୁ ପଡ଼ିବ । ସଂସ୍କୃତ ଭାଷାକୁ ଅଗ୍ରାଧିକାର ଦିଆଯିବା ଫଳରେ ଦଳିତ, ଆଦିବାସୀ, ଓବିସି ଓ ସଂଖ୍ୟାଲଘୁ ବର୍ଗର ପିଲାପିଲିଙ୍କୁ ଏହା ଶିକ୍ଷା ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରିବ । ସେଥିପାଇଁ ଏହି ଶିକ୍ଷାନୀତିକୁ ବିରୋଧ କରି ଗ୍ରାମ୍ୟ ସ୍ତରରୁ ରାଷ୍ଟ୍ରପତିଙ୍କୁ ପ୍ରତିବାଦ ଜଣାଇବାକୁ ହେବ । ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରିଥିବା ବରଗଡ଼ର ସୁରେଖା ଭୁଏ ଏଥିରେ ଯୋଗ ଦେଇ କହିଲେ ଯେ, ଶିକ୍ଷାରେ ଆରକ୍ଷଣ ବ୍ୟବସ୍ଥା ସରକାର ଉଠାଇ ଦେଲେ ବହୁଜନ ଲୋକଙ୍କ ପିଲାପିଲିଙ୍କୁ ପଢ଼ିବାରେ ବହୁ ଅସୁବିଧା ହେବ । ସଭାରେ ଆଦିବାସୀ ବର୍ଗର ଲୋକଙ୍କ ପ୍ରତିନିଧିତ୍ୱ କମ୍ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଲାଠୋର ରେଞ୍ଜର ଶ୍ରୀମତୀ ସେଠ୍ ଆଲୋଚନାରେ ଅଂଶ ଗ୍ରହଣ କରି କହିଲେ ଯେ, ସେ ନିଜେ ମଧ୍ୟ ଜେଏନ୍‌ୟୁରେ ପଢ଼ୁଥିଲାବେଳେ ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ ବି ଜାତିପ୍ରଥା ଭେଦଭାବ ଯୋଗୁଁ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏଣୁ ଜାତିପ୍ରଥାକୁ ନ ମାନି ସମସ୍ତେ ସମାନ ବୋଲି ଭାବିବାକୁ ହେବ ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜକ ଜୀତେନ୍ଦ୍ର ସୁନା ଆଲୋଚନାରେ ଅଂଶ ଗ୍ରହଣ କରି କହିଲେ ଯେ, ଦିନ ଥିଲା ଯେତେବେଲେ ବିପିଏଲ୍ ଲୋକଙ୍କୁ ଚିହ୍ନଟ କରାଯାଉଥିଲା ସେତେବେଳେ ସେମାନଙ୍କ ବାର୍ଷିକ ଆୟର ସୀମା ୧୨ ହଜାର ଥିଲା, କିନ୍ତୁ ଏବେ କେନ୍ଦ୍ର ସରକାର ଉଚ୍ଚ ବର୍ଣ୍ଣର ଲୋକଙ୍କ ନିମନ୍ତେ ‘ଆର୍ଥୀକ ଦୁର୍ବଳ ବର୍ଗ’ ଭାବେ ଚିହ୍ନଟ କରିଥିବା ଲୋକଙ୍କ ବାର୍ଷିକ ଆୟସୀମା ୮ ଲକ୍ଷକୁ ବୃଦ୍ଧି କରିଥିବା କଣ ଅନ୍ୟାୟ ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଏଯାଏଁ ଭାରତରେ ସର୍ବମୋଟ୍ ୨ କୋଟିରୁ ଅଧିକ ସଂଖ୍ୟାରେ ଦଳିତ ଆଦିବାସୀ ଲୋକଙ୍କ ଉପରେ ଅପରାଧ ଘଟିଥିବା ସେ ପ୍ରକାଶ କରିଥିଲେ । ଶେଷରେ ଆଗାମୀ ନଭେମ୍ବର ୨୬ ତାରିଖ ‘ସମ୍ବିଧାନ ଦିବସ’ ଉପଲକ୍ଷେ ସମ୍ବଲପୁରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଏହି ଦିନକୁ ପ୍ରତିବର୍ଷ ‘ଜାତୀୟ ଦିବସ’ ଭାବେ ସରକାର ଘୋଷଣା କରିବାକୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ସମାଜସେବୀ ଶ୍ରୀପତି କୁମ୍ଭାର ପରିଚାଳନା କରିଥିବାବେଳେ ବନମାଳୀ କୁମ୍ଭାର, ହୃଶୀକେଶ ନାଗ ଓ ଅନ୍ୟମାନେ ସାହାଯ୍ୟ କରିଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ନୂଆ ଶିକ୍ଷାନୀତିକୁ ନେଇ ଉଠିଲା ଅଭିଯୋଗ : ଗରିବ ଦଳିତ ପିଲା ୬ଷ୍ଠ ଶ୍ରେଣୀ ପରେ ଆଗକୁ ପଢ଼ିବା ନେଇ ଆଶଙ୍କା !