(୧୨/୯) ଜଣେ ସମାଜସେବୀ ଯେତେବେଳେ ମୃତ୍ୟୁ ବରଣ କରେ, ଲୋକେ ତା ମୃତ୍ୟୁରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ସେହି ସମୟରେ ଦୁଃଖିତ ପରିବାର ସହ ଛିଡ଼ା ହୋଇଥାନ୍ତି । କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ସିବିଆଇର ମୁଖ୍ୟ ଭାବେ କିଛି ଦିନ ଦାୟିତ୍ୱରେ ଥିବା ଆଇପିଏସ୍ ନାଗେଶ୍ୱର ରାଓଙ୍କ କ୍ଷେତ୍ରରେ । ସମାଜ ସଂସ୍କାରକ ଭାବେ ସ୍ୱାମୀ ଅଗ୍ନିବେଶଙ୍କ ନାମ ଊଣାଅଧିକେ ସମସ୍ତେ ଜାଣନ୍ତି । ସେ ୧୯୮୧ ମସିହାରରେ ‘ଗୋତି ଶ୍ରମିକ ମୁକ୍ତି ମୋର୍ଚ୍ଚା’ ର ପ୍ରତିଷ୍ଠା କରି ଗୋତି ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ଅନେକ କିଛି କରିଛନ୍ତି । ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ୧୮୭୫ ରେ ପ୍ରତିଷ୍ଠା କରାଯାଇଥିବା ଆର୍ଯ୍ୟ ସମାଜର ସର୍ବୋଚ୍ଚ ଆନ୍ତର୍ଜାତୀୟ ସଂଗଠନ ‘ବିଶ୍ୱ ଆର୍ଯ୍ୟ ସମାଜ ପରିଷଦ’ ର ସଭାପତି ମଧ୍ୟ ରହିଛନ୍ତି । ଏପରିକି ଜାତିସଂଘର ଦାସତ୍ୱ ପ୍ରଥା ବିରୁଦ୍ଧରେ କାର୍ଯ୍ୟ କରିବାକୁ ଗଠିତ ହୋଇଥିବା ସ୍ୱେଚ୍ଛାକୃତ ଟ୍ରଷ୍ଟ ଫଣ୍ଡର ଅଧ୍ୟକ୍ଷ ଭାବେ ୧୦ ବର୍ଷ କାର୍ଯ୍ୟ ମଧ୍ୟ କରିଛନ୍ତି । ଗତକାଲି ୮୦ ବର୍ଷ ବୟସରେ ସ୍ୱାମୀ ଅଗ୍ନିବେଶଙ୍କ ମୁତ୍ୟୁ ହୋଇଯାଇଛି । ଏହାପରେ ଦେଶ ତଥା ବିଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକବାର୍ତ୍ତା ପଠାଉଥିବାବେଳେ ପୂର୍ବତନ ସିବିଆଇ ମୁଖ୍ୟ ନାଗେଶ୍ୱର ରାଓ କଟା ଘା’ରେ ଚୂନ ଦେଲା ଭଳି ମନ୍ତବ୍ୟ ଦେଇଥିଲେ ଟ୍ୱିଟରରେ । ସେ ଲେଖିଥିଲେ,“ଆପଣ ଜଣେ ଗେରୁଆ ବସ୍ତ୍ରଧାରୀ ହିନ୍ଦୁ ବିରୋଧୀ ଆପଣ ହିନ୍ଦୁତ୍ୱର ପ୍ରଭୁତ କ୍ଷତି କରିଛନ୍ତି । ଆପଣ ଜଣେ ତେଲୁଗୁ ବ୍ରାହ୍ମଣ ଭାବରେ ଜନ୍ମ ହୋଇଥିବାରୁ ମତେ ଲଜ୍ଜା ଲାଗୁଛି । ମେଣ୍ଢା ବେଶରେ ଜଣେ ସିଂହ । ଯମରାଜଙ୍କୁ ମୋର ଏତିକି ଅଭିଯୋଗ ଯେ ସେ କାହିଁକି ଏତେଦିନ ଯାଏଁ ଅପେକ୍ଷା କଲେ?” ସମାଜ ସଂସ୍କାର ପାଇଁ ଜଣେ କାର୍ଯ୍ୟ କରି ମୃତ୍ୟୁ ବରଣ କଲା ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏପରି ମନ୍ତବ୍ୟ ପାଇଁ ପୋଲିସ୍ ବିଭାଗରେ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ‘ଭାରତୀୟ ପୋଲିସ୍ ଫାଉଣ୍ଡେସନ୍’ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏହିପରି ଆଉ ଜଣେ ସିବିଆଇ ନିର୍ଦ୍ଦେଶକ ତଥା ‘ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ରାକେଶ ଆସ୍ଥାନା ରିୟା ଚକ୍ରବର୍ତ୍ତୀ ଘଟଣାରେ ଅନେକ ସମୟରେ ବ୍ୟସ୍ତ ରହିଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଟ୍ୱିଟ କରି ଅଭିଯୋଗ କରିଛନ୍ତି ।
ସ୍ୱାମୀ ଅଗ୍ନିବେଶଙ୍କ ମୁତ୍ୟୁରେ ପୂର୍ବତନ ସିବିଆଇ ମୁଖ୍ୟ ନାଗେଶ୍ୱର ରାଓଙ୍କ ମନ୍ତବ୍ୟକୁ ପୋଲିସ୍ ଫାଉଣ୍ଡେସନ୍ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ନିନ୍ଦା !
