ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର E-mail: rajashreemohapatra2018@gmail.com
କେତେ ସ୍ନେହରେ ଜୀବନ ହେବ ମିଠା ,
କେତେ ଲୁହରେ ଭରିବ ଲହୁର ଦରିଆ
କେତେ ସତକୁ ଜିଇଁଲେ ଦୂରେଇ ଯିବ ବ୍ୟଥା !!!
ନିଜକୁ ପଚାରେ …
ୟା ଭିତରେ ଜଣା ନାହିଁ …
କେବେ ଉଇଁଲାଣି କାବ୍ୟତାରା
ପରୀଙ୍କ ଗହଣରେ …
କେତେ ନିର୍ମଳ ହେଲାଣି ଗାଡ଼ିଆ ପାଣି
ପଦ୍ମପଳାଶଙ୍କ ଗହଣରେ …
କେବେ ନଳବଣରୁ ଉଡିଗଲେ
ଗେଣ୍ଡାଳିଆ ଫର୍ଚା ଆକାଶରେ …
କେବେଠୁ ହଜିଲାଣି ସାଗର
ଚାନ୍ଦିନୀର ଚୋରା ଚାହାଣିରେ !!!
ୟା ଭିତରେ ଜଣା ନାହିଁ …
ଉତ୍ତର ପାଏନି ବତୁରା ଆଖିଠୁ ଯେବେ ପଚାରେ …
କେମିତି ଯେ ପାଲଟିଗଲା
ମୋ ପୃଥିବୀ ମହାମାରୀର ଚରାଭୂଇଁ !!!
କାହିଁକି ନିଅଣ୍ଟ ପଡିବ ଚାଖଣ୍ଡେ ଭୂଇଁ
ନିଦରେ ହଜିଥିବା ଦେହମାନଙ୍କ ପାଇଁ !!!
ରାତିକୁ ବୁଝାଏ …
ଲୁଚେଇ ଦେଉ ତାକୁ
ମହାମାରୀକୁ
ମହାମାରୀର କରୋନାକୁ
ଆଉ ଗୋଟେ ଗ୍ରହରେ
ଶୋଇ ପଡୁ ସେଠି ସେ ଗାଢ ନିଦରେ ।
ପ୍ରାର୍ଥନା କରେ ତାକୁ …ଏ ମହାମାରୀରେ …
ଫେରାଇ ଆଣୁ ପିଲାମାନଙ୍କୁ ମାଆର କୋଳକୁ
ଭରିଦେଉ ଅଣ୍ଟିରେ ସ୍ନେହ, ପ୍ରେମ, ମାନ, ଅଭିମାନସବୁକୁ
ରଙ୍ଗେଇ ଦେଉ ଦେହସବୁକୁ ଆଲିଙ୍ଗନରେ
ପୁଣି ଓଠସବୁ ହସିଉଠୁ ଆଖି ଆଲୁଅରେ …