ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର
E-mail: rajashreemohapatra2018@gmail.com
କିଏ କହିବ
କେତେ ଯନ୍ତ୍ରଣା ପିଇ ପଥର ପାଲଟିଛି ଏ ମାଟି
କେତେ ବିଶ୍ବାସ ଜାଳି କଳା ହେଇଛି ଆକାଶର ଛାତି
କେତେ ଅମୃତ ବାଣ୍ଟି ହଳାହଳ ବିଷକୁ ପିଇଛି ମହୋଦଧି ।
ନିଦ ଭାଙ୍ଗିଲା ବେଳକୁ ବଦଳି ଗଲାଣି ପବନର ଗତି
ଇଚ୍ଛାସବୁର ଧାସରେ ମିଳେଇ ଗଲାଣି ବରଫର ନଈ
ପାଉଁଶ ହେଲାଣି ପାହାଡ ଜଙ୍ଗଲ, ଫାଟି ଗଲାଣି ଭୂଇଁ ।
ଜଣା ନାହିଁ କେବେଠୁ କୁଣ୍ଡଳୀ ମାରି ବସିଛି ସେ
ତା’ର ଫୁତ୍କାରରେ ଥରି ଯାଉଛି ବେଁଶିରା ହାଡ
ସାରି ଦେବ କି ସବୁ … ଜାଳିଦେବ କି ସବୁ !
ନ ଡରି ବାହାରି ଆ … କଳଙ୍କି ଲଗା ଆୟସୀ ଭିତରୁ …
ଅମୃତ ବୋଳା ଦେହ ତୋର ଝଟକି ଉଠୁ …
ସୃଷ୍ଟି ଝଲସି ଯାଉ ତୋ ଆଖିର ଜ୍ୟୋତିରେ ।
ପ୍ରେମରେ ତରଳି ଧୋଇ ହୋଇଯାଉ ଦେହସବୁ
ସ୍ନେହ ଅବିର ଛିଞ୍ଚି ନିଜେ ବାଣ୍ଟି ହୋଇ ଯା … ଘୋଳି ହୋଇଯା
ବାୟୁରେ ପାଣିରେ ଗୁଳ୍ମରେ ଦୃମରେ …
ଦେହରେ ଦିଶୁ ସଫା ନୀଳ ସାଗର … ତଳର ଉପଳଖଣ୍ଡ
ନିର୍ମଳ ଆକାଶରୁ ଦିଶୁ ଶାନ୍ତ ଅନ୍ତରୀକ୍ଷ
ହୋମାଗ୍ନିରେ ସୃଷ୍ଟି ହେଉ ଜୀବନର ସ୍ଫୁଲିଙ୍ଗ ।
ସବୁରି କଣ୍ଠରେ ଶୁଭୁ ଜୀଇଁବାର ମନ୍ତ୍ର
ମହାମାରୀରେ ଅସ୍ତବ୍ଯସ୍ତ ମଣିଷ ପାଇଁ
ବଢାଅ ଆଶ୍ୱାସନାର ହାତ …