- ବାସୁଦେବ ସୁନାନୀ ଭୁବନେଶ୍ୱର
ରୁଟି ବେଲିବା ସହଜ ନୁହେଁ
କେତେ ଥର କହିଛି!
ମୋ ଦେଇ ରୁଟି ବେଲିବା ହେବନି
ବେଲୁ ବେଲୁ ଯଦି
ଦଶମୀ ଜହ୍ନ ପରି ଟେଢ଼ା ହେଇଗଲା!
ତେବେ ଖୋଜିବାକୁ ପଡ଼ିବ
ଗୋଟିଏ ଆକାଶ, ତାରା ଭର୍ତି
ଅଥଚ
ପ୍ରଦୁଷଣର ନିଆଁରେ
ରୁଟି ଜଳିଯିବାର ଏକ ଚିହ୍ନାଡର ଦିଶୁଛି
ଦୈବାତ୍ ଅଶୋକଚକ୍ର ପରି
ଗୋଲ ହେଇଗଲା?
ତେବେ ଯୋଗାଡ଼ିବାକୁ ହେବ
ତ୍ରିରଙ୍ଗାଟିଏ
ଯେଉଁଠି ଅଭାବର ପ୍ରତୀକ କରି
ଖଂଜିଦେଲେ ରୁଟିକୁ
ଦେଶଦ୍ରୋହୀ ହେବାର ସଂଭାବନା ଅଛି,
ଯଦି ଭାରତ ମାନଚିତ୍ର ପରି ହୋଇଯାଏ?
ତେବେ ଗାଁ, ସହର
ରାସ୍ତାଘାଟର ଭୋକିଲାମାନେ
ଖଣ୍ଡିଆଖାବରା କରି
ଲୁଟି ନେବାର ଭୟ ଅଛି
କାରଣ
ଡହଡହ ଭୋକରେ
ଦେଶ କାହିଁ କେତେଦିନୁ ଜଳୁଛି ।
ଦେଖତ’
ଏ ରୁଟିର ଚେର ସତେ
କେତେଦୂର ଯାଏଁ ମେଲିଛି!
ରାଜାରୁ ପ୍ରଜା
ଶୀଲ୍ପପତିରୁ ଶ୍ରମିକ
ହଳିଆଠାରୁ ସୈନିକର ପେଟ ଯାଏଁ
ସବୁଠି କେବଳ ରୁଟିର ରାଜୁତୀ ।
ହୁଏତ ହେଇପାରେ ଫରକ୍ ଏତିକି
କିଏ ସୁନା ବେଲଣା ତ’
କକଏ କାଠ ବେଲଣାରେ ବେଲୁଛି,
ଯେଉଁ ବେଲଣା ବି ଦିଅ
ମୋ ଦେଇ ରୁଟି ବେଲିବା ହେଲାନି
ବରଂ ବାସୀପଖାଳ ଭଲ
ବ୍ୟସ୍ତ ହ’ନା ସାନୁ!
ଛୋଟ ବେଳୁ
ଲୁଣ ଲଂକା ଚକଟି ତୋରାଣୀ ପିଇବା
ମୋର ବରାବର ଅଭ୍ୟାସ ରହିଛି ।