ସସ୍ମିତା ସୁନାମୁଦି
ଲେକ ଭେଲି, ଭୁବନେଶ୍ୱର
ଉଦ୍ଭଟ ଚିନ୍ତାର ପରିକଳ୍ପନା ସେ ପରଶ୍ରୀକାତରତାର ଡୋରି
ଅମୃତ ମୁଖରେ ଅଭ୍ୟର୍ଥନା କରେ ଅନ୍ତଃରେ ଗରଳ ଭରି,
ଉନ ମସ୍ତିଷ୍କର ପ୍ରୟୋଗ ଶାଳାରେ ସଯତ୍ନେ ତିଆରି ଥାଏ
ଅପର ଅନିଷ୍ଟ କରୁ କରୁ ସେ ତ’ ନିଜେ ଦଗ୍ଧ ହେଉଥାଏ!!
ମୋହ ଆସକ୍ତିର ଭୃତ୍ୟା ହେଲା ଈର୍ଷା ସେ ତ’ କଳିର କାମିନୀ
ଦହଜ ଜ୍ୱାଳାକୁ ପ୍ରସବିତ କରେ ଚିତ୍ତ ଭ୍ରମର ଜନନୀ,
ନିରୋଳା ଆଖିରେ ଦେଖାଯାଏ ନାହିଁ ଅଦୃଶ୍ୟ ଭୂତାଣୁ ବୋଲି
ସତ୍ୟାସତ୍ୟ ସବୁ ଦେଖିବାକୁ ହୁଏ ଜ୍ଞାନ ପୂର୍ଣ୍ଣ ଚକ୍ଷୁ ଖୋଲି!!
ପ୍ରାଣାନ୍ତକ ହୁଏ କାଳଯମ ପରି, ଗର୍ତ୍ତର ସର୍ପଟି ସିଏ
ହଳାହଳ ବିଷ ଚୋଟ ମାରିବାକୁ ସୁଯୋଗଟି ଖୋଜୁଥାଏ,
ଅନ୍ୟ ଅସ୍ତିତ୍ୱକୁ ଅସ୍ୱୀକାର କରେ ନିଜ ଗାରିମା ଦେଖାଇ
କୌଶଳରେ ସବୁ ଅକ୍ତିଆର କରେ ଶିରୀ ଦେଖିପାରେ ନାଇ!!
ମୁଖ୍ୟ ଅସ୍ତ୍ର ତାର ନିନ୍ଦା ଅପବାଦ ମାତ୍ସର୍ଯ୍ୟ ନାମେ ବିଦିତ
ନିକୃଷ୍ଟ ଭାବର ପରିଚାୟକ ସେ ମନ ମଧ୍ୟେ ଅରୋପିତ!!