–ଜସ୍ମିନ ଗିରି, ଭୁବନେଶ୍ୱର
ତୁମ ସହର କୁ ଛାଡି
ଗାଁ କୁ ଚାଲିଲୁ ଆମେ
ସ୍ତ୍ରୀ, ଛୁଆ ପିଲା
ବନ୍ଧୁ କୁଟୁମ୍ବ କୁ ଧରି
ସହର ଆଜିଠୁ ତୁମର।
ଆମେ ଗାଁ ର ମଣିଷ
ମଳି ମୁଣ୍ଡିଆ କୁ
ଦରକାର ନାହିଁ ତୁମ
ସହରର ଚାକଚକ୍ୟ
ସହର ଆଜିଠୁ ତୁମର।
ଆଜି ବସ୍ତି ସବୁ ଖାଲି ଏଠି
ଅଛି ଖାଲି ନୁଆଁଣିଆ କାନ୍ଥ
ଜରି ପକା ଛାତ ଓ ଆଜବେଷ୍ଟସ୍ କିଛି
ଏବେ କରି ନିଅ ତୁମ ମଲ୍ ସବୁ ଏଠି
ସହର ଆଜିଠୁ ତୁମର।
ଗରିବୀ କୁ ଲୁଚାଇବାକୁ
ତୁମକୁ ହବନି ଆଉ କଷ୍ଟ
ତୋଳିବାକୁ ପଡ଼ିବନି ଆଉ
ବସ୍ତି ଚାରିପାଖେ ସୁଦୀର୍ଘ କାନ୍ଥ
ସହର ଆଜିଠୁ ତୁମର।
କିନ୍ତୁ ମାନେ ରଖ
ଯିବା ବେଳେ ଥରୁଟିଏ ବି
ଆଡ ଆଖିରେ
ଦେଖିଲନି ଆମକୁ
ମୋ ଭୁକିଲା ଛୁଆ କୁ
ତା ବିକଳ ଚେହେରା କୁ
ବଢେଇଲନି ତୁମ ସହଯୋଗ ର
ହାତ ଟିକକୁ
ହଉ ହେଲା
ସହର ଆଜିଠୁ ତୁମର।
ଆଉ ଡାକିବନି ଆମକୁ
କରି କାମ ର ବାହାନା ସବୁକୁ
ଆମେ ଆଉ ଗଢିବୁନି ତୁମ ଘରର କାନ୍ଥ
କରିବୁନି ତୁମ ପାଇଖାନା ଟାଙ୍କି ସଫା
ଯିବୁ ନାହିଁ ତୁମ ଘର ରୋଷେଇ ପାଇଁ
ସେତେ ବେଳେ କରିବନି ଆମକୁ ହଟହଟା
ସହର ଆଜିଠୁ ତୁମର।