ଗିରୀଶବାଳା ଜେନା
ଡାବୁଗାଁ, ନବରଙ୍ଗପୁର 
ଚଇତି ଚୋରା ମଳୟ ଆଉ
ଆନମନା କରେ ନାହିଁ ମନ
କୋଇଲିର କୁହୁ ତାନ
ତୋଳେ ନାହିଁ
ହୃଦୟେ ସ୍ପନ୍ଦନ
ନାବାଳିକା କରୁଣ ବିଳାପରେ
ଥରି ଉଠେ ବନବିଥୀ ଛାତି ।
ଅର୍ଦ୍ଧଦଗ୍ଧ ଯୁବତୀର
ମାଂସର ଗନ୍ଧରେ
କୁହୁଡ଼ିଆ ଲାଗେ ଏବେ
ଫଗୁଣର ରାତି!
ମଦମତ ଯାଦବଙ୍କ ଉଦ୍ବାର୍ଯ୍ୟ ପଣରେ
ବଳି ପଡ଼େ ନିରୀହ ଶଶକ
ଉଦଗ୍ର କାମନାର ଯଜ୍ଞାନଳେ
ପୂ୍ର୍ଣ୍ଣାହୁତି ପାଏ ମାନବତା
ଜଳୁଥାଏ ଏବେ ଖାଲି
ବିବେକର ଚିତା!
ହେ ବସନ୍ତ!
ଆସ ତମେ
ଭରିଦିଅ ମଣିଷ ଅନ୍ତରେ
ପ୍ରେମ, ପ୍ରିତି, ପାର୍ବଣ ପୁଲକ
ହିଂସା, ଦ୍ୱେଷ, କାମ, କ୍ରୋଧ ଜ୍ଜ୍ୱାଳା
ଉପଶମ ହେଉ
ମୁକୁଳର ମହକରେ…
ମଳୟର ମୂର୍ଚ୍ଛନାରେ …
ଫଗୁଣର ଏଇ ମଧୁ ଲଗନରେ । ।