–ବାସୁଦେବ ସୁନାନୀ
ଖାଲି
ମଶାଣୀଟିଏ ଲୋଡା ବୋଲି
ଧପାଲି ଚାଲିଛି ଏତେ ଦୂର !
ସବୁ ଜାଗା
ମଶାଣୀ ହୋଇପାରେନା
ଏ କଥା କାହାକୁ ଅଜଣା ?
ଏ ହାତ ସେଇଠିବି କୁଟୁଥିଲା
ଏ ପାଦ ଏଇଠିବି ଉଠିବ
ଏ ପେଟ ସେଇଠି ବି ଜଳୁଥିଲା
ଏ ବୁକୁ ଗାଁରେ ବି ତରଳିବ
ସେ ଜାଣେ
ଛାଡି ଆସିଥିବା ନିଜ ଗାଁରେ
ମାଟି ଚୂଲି ଉଜୁଡି ଯାଇଥିବ,
ଗହଁଟିଆଘର ବିଲକାମକୁ
ଟ୍ରାକଟର, ପାୱାର ଟିଲର୍
ହଡପ କରି ସାରିଥିବ,
ଗାଁ ଖୋଲିର ଆତ୍ମୀୟତକୁ
ସହର ଝାଂପି ନେଇଥିବ,
ଜାଣେ ବି
କେଂଦୁ, କଂଟିକୋଳି
ଚାଆଁର, ମହୁଲ
ଗାଁ ପାଇଁ ଏଣିକି ଅଚିହ୍ନା ପଦାର୍ଥ
ପାଲଟିଥିବ
ଏ ସବୁ ସତ୍ବେ ସିଏ ଧପାଳୁଛି !
ମୁଣ୍ଡରେ ଅବୁଝା ସଂସାର,
ପାଦରେ ବୋଝଟିଏ ବାଧ୍ଯବାଧକତାର,
ଧୂଧୁ ଖରାରେ ବି
ସାମ୍ନାରେ କିଟ୍ କିଟ୍ ଅଂଧାର,
ପଛରେ ସହରର ଅସହ୍ୟ ଧିକ୍କାର …!
ସିଏ ଚାଲୁଥିବା ତାତିଲା ସଡକରେ
ବିଛେଇ ଦିଆ ଯାଇଛି
ସମସ୍ତ ତାଗିଦାର କାନୁନ୍,
ଗାନ କରା ଯାଉଛି
ଲୋଭିଲା ଯୋଜନାର ଆଶ୍ବାସନା,
ବ୍ଯବସ୍ଥା କରାଯାଇଛି
ବଂଦ ଗାଡିର ଆଦେଶନାମା,
ରୋଇ ଦିଆ ଯାଇଛି
ପ୍ରତି ପାହୁଂଡରେ ଜାତିଜାତିକା ଅତ୍ଯାଚାର ।
ଏଇ କଳବଳ ବେଳା ଇଁ
ଆହୁରି ଚେତେଇ ଦେଉଛି ସେ ଚିହ୍ନା ମୋହ
ଯେଉଁ ମୋହରେ ପଡି
ଥାପି ଚାଲିଛି ତାର ରକ୍ତ ସରସର ଖାଲିପାଦ
ମାଇଲ୍ ମାଇଲ୍, ଦୂର ବହୁଦୂର ।
ଏ ମୋହ
ପେଟର ନୁହେଁ କି ପାଟିର
କେବଳ ଆଉ କେବଳ
ମାଟିର, ମଶାଣୀର
ଆମେ ଜାଣୁ ,
ମାଟି ଉପରେ ଠିଆ ହୋଇଥାଏ ମଶାଣୀ
ହେଲେ କେହି ଜାଣି ପାରନ୍ତିନି,
ମଶାଣୀକୁ ଗଲାପରେ ସେଇ ମାଟି
ନିଜର ହୋଇ ରହେ ନା ନାଇଁ ?
ଏସବୁକୁ ଖାତିର ନ କରି
ତଥାପି ସିଏ ଧପାଳୁଛି,
ଆଉ ଧପାଳୁଛି …!
ଅଳଂଧୁ ଲଗା ସଂପର୍କର
ଏକ ଅଜଣା ଧୁକଧୁକିରେ
ଲଟକି ଥିବା ଭିଟାମାଟିକୁ
ଥରୁଟିଏ ଯେମିତି
ଡଗ୍ ଡଗ୍ ଦେଖିଦେବା ପାଇଁ !
ଶେଷ ନିଃଶ୍ବାସ ନେବା ପୂର୍ବରୁ
ମୋହାଛନ୍ନ ମଶାଣୀକୁ
ମୁହୁର୍ତଟିଏ ଯେମିତି
ଭେଟହେବା ପାଇଁ !!