ବାସୁଦେବ ସୁନାନୀ
କେବେ,
କେହି କ’ଣ ଶୁଣିଛ,
ଦେଖିଛ
ମା’ ଟିଏ ମରିବାର ?
ମଣିଷ ମରେ, ହେଲେ
ମା’କେବେ ମରେ ନାହିଁ,
ମରିପାରେ ନାହିଁ
ସବୁବେଳେ
ପାଖେ ପାଖେ ଥାଏ,
ଜୀଇଁ ଥିଲେ ଆଖିରେ
ଆଉ ମଣିଷରୂପ-ଅନ୍ତେ ଛାତିରେ,
ପ୍ରତିଟି ଛେଉଣ୍ଡକୁ
ଚିରା ପଣତରେ ସଜାଡୁ ଥାଏ ,
ମରେ ନାହିଁ ବୋଲି ତ’
ପ୍ରତୀକ ସ୍ବରୂପ
ମାଟିକୁ,
ଦେଶକୁ ବି
ମା’ ବୋଲା ଯାଏ !
ଆଉ ସେଇଥି ପାଇଁ
ଦେଶ, ମାଟି ବି ବଂଚି ରହେ
ଅବିକଲ୍ ମା’ ପରି
ଯୁଗ ଯୁଗ ଯାଏଁ ।
ଯେଉଁ ଦିନ
ମରି ଯାଏ ମା’
ସେଇ ଦିନ ଫାଟି ଯାଏ ମାଟି,
ଭାଂଗି ଯାଏ ଦେଶ
କାରଣ ମା’, ମାଟି, ଦେଶ ଭିତରେ
ଗୁନ୍ଥି ହେଇଥିବା ସ୍ନେହ ଆଦରରେ
ବିଶେଷ କିଛି ନ ଥାଏ ଫରକ।
ବହୁ ଯୁଗ ପରେ
ହୁଏତ ଆଜି
ମା’ ଟିଏ ମରିଗଲା
ଲୁଚିଛପି, କୁଡିଆ ଭିତରେ
ବା ଅଜଣା ଗାଁ ବିଲରେ ନୁହେଁ
ବରଂ ଜାତୀୟରେଳ କଡରେ
ସୂର୍ୟାଲୋକରେ,
କୋଟି କୋଟି ଲୋକଂକ
ଆଖି ସାମ୍ନାରେ
ଆଶ୍ଚର୍ଯ୍ଯ ଯେ
ମାଟି ଫାଟିଛି ନା ନାଇଁ
ଦେଶ ଭାଂଗିଛି ନା ନାଇଁ !
ଏଯାଏଁ
କିଛି ବି ଖବର ପହଂଚିନି
ଦେଶର ସେଇ
ଶହେ ପଚିସ କୋଟି
ଅନାଥ, ଅବୋଧ ଶିଶୁ ମାନଂକ ପାଖରେ !