- -ବସନ୍ତ ମାଝି, ସଂପାଦକ, ଚନ୍ଦ୍ରଶେଖରପୁର
ଶ୍ରମ ଆଉ ସ୍ୱେଦ ଦେଇ ମୋର
ଏ ମାଟିରେ ଫୁଟାଇ ପାରିବି ଫୁଲ
କହିଲେ, ତୁମକୁୁ ଯାଚି ଦେବି ଗୋଲାପ
ମନକୁ ନ ପାରିଲେ ଛୁଇଁ ତାହା
ଦୂର ବଗିଚାରୁ ଆଣିଦେବି ଗ୍ଲାଡିଓଲି ସ୍ତବକ ।
ମତେ ଆଉ କୁୁହ ନାହିଁ ରାଣ ଦେଇ
ଆକାଶରୁ ତାରା ତୋଳିବାକୁ
ନନ୍ଦନକାନନେ ଡେଇଁ ବୁଲିବାକୁ
ଦେଖି ନ ଥିବା ଫୁଲ ପାରିଜାତ
ଚାଙ୍ଗୁଡ଼ି ପୁରାଇ ଆଣି ତୁମକୁ ଦେବାକୁ ।
ମାଟି ଆଉ ସ୍ୱର୍ଗରେ
ଥୋଇ ପାରିବି ମୋ ପାଦ ଦୁଇ
ଗାଇ ପାରିବିନି ଉଦାସୀନ ଗୀତ
ଆଙ୍କି ପାରିବିନି ମୁଁ ଅଦେଖା ମହଲର ଚିତ୍ର
ବସାଇ ପାରିବିନି ମୁଁ ବାଘ-ମିରିଗର ହାଟ ।
ଏବେ ବାଉଁଶରେ ତିଆରି କରୁନି ବଂଶୀ
କୋକେଇ ତିଆରିରେ ସମୟ ବିତୁଛି
ମେଘ ବି ହରାଇଛି ଭଦ୍ର ହୃଦୟ
ବତୁରାଇ ଦେଇ ନାହିଁ ଏ ଶୁଷ୍କ ମାଟି
ନିରସ୍ତ୍ର ନାବିକ ପରି ରହିଛି ଅନେଇ
ପଦଚିହ୍ନ ଆଙ୍କୁଥିବା ତୁମ ଚଲା ବାଟ
ମୋର ପ୍ରିୟ ଶତ୍ରୁମାନେ! ଏବେ ମୋତେ
ହସ ହସ ମୁହଁରେ ପାରୁଛନ୍ତି ଚିହ୍ନି
ଅଥଚ ଏମିତି ନିର୍ବୋଧଟିଏ ମୁଁ
ଶତ୍ରୁ-ମିତ୍ର ଚିହ୍ନଟ ମାପକାଠିର
ହଜାଇ ଦେଇଛି ନିଜ ଝୁଲାମୁଣି । ।