ରାଜଶ୍ରୀ ମହାପାତ୍ର,
ଭୁବନେଶ୍ୱର
ଅନ୍ଧାର ଘୋଡେଇ ରାତି ଦେଖିଥିବ
ସ୍ନେହରେ ଆଉଁସି ଦେଉଥିବା ହାତମାନଙ୍କୁ
ପ୍ରେମରେ ଛୁଇଁ ଯାଉଥିବା ହୃଦୟମାନଙ୍କୁ
ନିଃଶ୍ବାସରେ ବିଶ୍ୱାସ ଭରୁଥିବା ଆଖିମାନଙ୍କୁ
ଭରସାରେ ଆଗେଇ ଆସୁଥିବା ପାଦମାନଙ୍କୁ
ନିଶ୍ଚେ ଦେଖିଥିବ
ପାହାନ୍ତି ତାରା କୋଳରେ
ଘୁମେଇ ପଡିଥିବା ରେଳଧାରଣାକୁ
ଛିଣ୍ଡା ଡେଣାରେ ଖଣ୍ଡିଉଡା ଦେଉଥିବା
ସ୍ୱପ୍ନର ବିକ୍ଷିପ୍ତ ପରସବୁକୁ
ସମୁଦ୍ର ଛାତିକୁ ଚିରି ଫେରି ଆସୁଥିବା
ଅସୁମାରୀ ଆଶାମାନଙ୍କୁ
ଭୋକର ଭାର ବୋହି ଚାଲୁଥିବା
ନୂତନ ସମ୍ଭାବନାମାନଙ୍କୁ ।
ତା ଗ୍ରହର ମହୋତ୍ସବରେ ସେ ଆଜି ନାହିଁ
ନିରବ ଲଢେଇ ତା’ର ମା ଗର୍ଭରେ ତିଷ୍ଠିବା ପାଇଁ
ମଣିଷ ହିଁ ହେବ ନିର୍ଣ୍ଣେତା ଜାଣି ପାରିଥିବ ମହାମାରୀ
ବୁଝି ସାରିବଣି
ହାର୍ ମାନିବାର ଜୀବ ନୁହେଁ ଏ ମଣିଷ
ହେଲେ ହେଉ ପଛେ ଯୁଦ୍ଧ ଭାରୀ
ଦାନ କରିପାରେ ସେ ନିଜ ଦେହର ହାଡ
ଶତୃର ବିନାଶ ପାଇଁ ଦଧିଚିଙ୍କ ପରି !
ପାନ କରିପାରେ ହଳାହଳ ବିଷ
ଅମୃତ ବାଣ୍ଟିବା ପାଇଁ !
ପରାର୍ଦ୍ଧ ପରାର୍ଦ୍ଧ ନକ୍ଷତ୍ର ସାକ୍ଷୀ !
ଦ୍ୟାବା ପୃଥିବୀ ସାକ୍ଷୀ !
ଆମେ ବି ଖୋଜି ସାରିଲୁଣି ଉପାୟ ବଞ୍ଚିବା ପାଇଁ
ବୁଝି ସାରିଲୁଣି କେବଳ ଆମେ ହିଁ ଗଢୁ ପାଚେରୀ
ବାଣ୍ଟୁ ଜଳ ସ୍ଥଳ ଆକାଶକୁ , ନିଜେ ସାଜୁ ପ୍ରହରୀ
ତାକୁ ବୁଝେନି ମଣିଷ ଭିନ୍ନ ଅନ୍ୟ ପ୍ରାଣୀ
କରୋନା ବି କ’ଣ ବୁଝେ ???