-ଡଃ. ବାସନ୍ତି ମହାନ୍ତି ଭୁବନେଶ୍ୱର
ନ ଛୁଇଁ ନ ଛୁଇଁ ତୁ ସବୁ ଛୁଇଁ ଦେଲୁ
ମୋ ଆତ୍ମା ମୋ ଅସ୍ମିତା
ମୋ ଆସ୍ଥା ମୋ ଅସ୍ଥିତ୍ୱ
ଏବେ ତୋରି ଛୁଆଁରେ ଜୁଡୁବୁଡୁ
ମୋ ଚର୍ମ ମୋ ମର୍ମ ମୋ ବର୍ମ
ମୋ ଅଷ୍ଟାଙ୍ଗ ଶରୀର
ନ ଛୁଇଁ ବି ତୁ ଛୁଇଁ ଦେଲୁୁ ମୋ ଶୋକ ମୋ ଭୋକ
ମୋ ଦେହର ଭୂଗୋଳ ମୋ ମନର ଇତିହାସ
ହରିନେଲୁ ମୋ ଏକାନ୍ତବାସର ପୀଡ଼ା ପୀଡ଼ନ
କଅଣ ଅଛି ସେ ଛୁଆଁରେ ଯେ
ସ୍ନେହର ଶିହରଣ ନୁହେଁ ଆତଙ୍କର ଶୀତ୍କାରରେ
ରୋମାଂଚିତ ଦେହ ମନ ପ୍ରାଣ
ଲୋଡା ହୁଏ ସାନିଟାଇଜର୍
ପୋଛିବାକୁୁ ସେ ଛୁଆଁର ପ୍ରାଣଘାତୀ ଦାଗ
ତୋ ନଛୁଆଁ ଛୁଆଁ ତ ଏବେ ବିଭୋର କଲାଣି ମୋତେ
ଆଛନ୍ନ ହେଲିଣି ମୁଁ ଅମୃତର ଆସ୍ୱାଦରେ
ମୋ ଅସ୍ଥିମଜ୍ଜାରୁ ଶୁଭିଲାଣି
ପ୍ରେମ ଓ ପ୍ରଣବର ଓଁକାର ସଂଗୀତ
ବିଶ୍ୱପ୍ରୀତି ଛନ୍ଦ