(୩୦/୬) ବରଗଡ଼଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ପିଚୁ ରାସ୍ତାଟି ନିର୍ମାଣ ହେବାର ଅଳ୍ପ ସମୟ ମଧ୍ୟରେ କେତେକ ସ୍ଥାନରେ ପିଚୁ ଉଠି ଯାଇ ଗର୍ତ୍ତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗାଁ ମୁଣ୍ଡରେ ଠିକ୍ କେନାଲ ଦେଇ ଗାଁ ମୁହାଁ ହେବା ପୂର୍ବରୁ ଏକ ବ୍ରିଜ ରହିଛି । ବ୍ରିଜର ଠିକ ମଝିରେ ମାଟି ବି ପଡ଼ିଛି, କିନ୍ତୁ ନିର୍ମାଣ ହେବାର ଖୁବ କମ୍ ସମୟ ମଧ୍ୟରେ ଉକ୍ତ ପିଚୁ ରାସ୍ତାରେ ବିରାଟ ଗାତ ସୃଷ୍ଟି ହୋଇଛି । ସେହି ରାସ୍ତାରେ କୁମେଲସିଂହା ପଂଚାୟତ ଓ ଦୁଲମପୁର ପଂଚାୟତର ଲୋକେ ଯିବାଆସିବା କରିଥାନ୍ତି । ପାଖରେ ଏକ ଇଂରାଜୀ ମାଧ୍ୟମ ସ୍କୁଲ ମଧ୍ୟ ରହିଛି, ଯେଉଁଠାକୁ କି ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଏ ବାଟ ଦେଇ ଛୋଟ ଛୋଟ ପିଲା ଯିବାଆସିବା କରିଥାନ୍ତି । ଏହି ରାସ୍ତାରେ ଟ୍ରାକ୍ଟର ସମେତ ଅନେକ ଗାଡ଼ିମଟର ମଧ୍ୟ ଯିବାଆସିବା କରିଥାଏ । କେତେବେଳେ ଯେ କେହି ସେ ଗାତରେ ପଡ଼ିଯିବ, ସେକଥା କହିହେବ ନାହିଁ । ଏଣୁ ସେପରି କୌଣସି ଅଘଟଣ ଘଟିବା ପୂର୍ବରୁ ସେହି ଗାତର ମରାମତି କାମ କରିବା ସହ କେଉଁ କାରଣ ପାଇଁ ନବ ନିର୍ମିତ ଏକ ରାସ୍ତାରେ ଏତେ ଶୀଘ୍ର ଗାତ ସୃଷ୍ଟି ହେଲା, ତାହାର ତଦନ୍ତ କରି ଦୋଷୀବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଠିକାର ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଜଣାନ୍ତି ।
ନବ ନିର୍ମିତ ବିପଦସଙ୍କୁଳ ପିଚୁରାସ୍ତାରେ ଖାଲ, ଲୋକେ ଅସନ୍ତୋଷ!
