(୨୪/୮) ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନବରଙ୍ଗପୁର ରକ୍ତତୀର୍ଥ ପାପଡାହାଣ୍ଡିଠାରେ ପାଳିତ ହୋଇଯାଇଛି ସହିଦ ସ୍ମୃତି ଦିବସ । ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଇଂରେଜ ମାନଙ୍କ ଦ୍ୱାରା ଅତର୍କିତ ଗୁଳିକାଣ୍ଡ ର ଶିକାର ହୋଇ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ପାପଡାହାଣ୍ଡି ସ୍ଥିତ ଟୁରି ନଦୀକୂଳ ରେ ପ୍ରାଣ ହରାଇଥିଲେ ।ସେମାନଙ୍କୁ ମନେ ପକେଇବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ ମାନଙ୍କ ସ୍ମୃତି ଉଦେଶ୍ୟରେ ପାପଡାହାଣ୍ଡି ସ୍ଥିତ ସହିଦ ସ୍ମୃତି ସ୍ତମ୍ଭ ପୀଠ ଠାରେ ଏହା ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସହିଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିବା ପରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁଶଲକର ତଥା ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ବିରାଟ ପଟୁଆରରେ ମଶାଲ କୁ ସହିଦ ପୀଠକୁ ଅଣାଯାଇ ପୀଠ ନିକଟରେ ସ୍ଥାପନା କରାଯାଇଥିଲା । ଅତିଥି ମାନେ ସହିଦ ସ୍ତମ୍ଭ ନିକଟରେ ଥିବା ଟୁରି ନଦୀକୂଳ ରେ ସହିଦ ମାନଙ୍କ ଉଧ୍ୟେସ୍ୟ ରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଙ୍କ ମୂର୍ତ୍ତି ମାନଙ୍କ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସହିଦଙ୍କ ସ୍ମୃତି ସଭାରେ ଅତିଥିମାନେ ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ସହିଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମ କୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ସହିଦ ସ୍ମୃତି ସଂଘ ତରଫରୁ ଏହି କାର୍ଯ୍ୟକ୍ରମ କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା । ଚଳିତ ବର୍ଷ କରନା କଟକଣା କୁ ଦୃଷ୍ଟି ରେ ରଖି କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା । ଅତିଥିଙ୍କ ସଂଖ୍ୟା ମଧ୍ୟ ସୀମିତ ରେ ହିଁ ରହିଥିଲା । (ରିପୋର୍ଟ – ବାବୁଲି ଗଣ୍ଡ)
ସହିଦ ସ୍ମୃତି ଦିବସ ଅବସରରେ ସହିଦମାନଙ୍କ ସ୍ମୃତି ଚାରଣ କଲେ ନବରଙ୍ଗପୁର ଜିଲ୍ଲାବାସୀ।
