କର୍ମଚାରୀଙ୍କ ଓଟିଭି ଛାଡ଼ିବା ଏମ୍‌ଡିଙ୍କ ଚିନ୍ତା ବଢ଼ାଇଲା, ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ କଲେ ଅପିଲ୍ ‌!


(୦୭/୧୧) ବିବାଦ ଓଟିଭିର ପିଛା ଛାଡ଼ୁ ନଥିବାବେଳେ ଏହାର ଏମ୍‌ଡି ତଥା ବିଜେପ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ଜାଗି ମଙ୍ଗତ ପଣ୍ଡା ଏକ ଭିଡିଓ ଜାରି କରି ଆଉ ହଇରାଣ ନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି । ୧ ମିନିଟ ୩୮ ସେକେଣ୍ଡର ଏହି ଭିଡିଓରେ ସେ କହିଛନ୍ତି ଯେ, ଦୁଇ ମାସ ଭିତରେ ଡଜନେରୁ ଅଧିକ ମାମଲା ଓଟିଭି ଓ ଏହାର କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ହେଲାଣି । ଓଟିଭି ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ । ଏପରିକି ରାଜ୍ୟ ପୋଲିସ୍ ତାଙ୍କ କର୍ମଚାରୀଙ୍କୁ ଅପଦସ୍ତ କରିବା ସହ ସେମାନଙ୍କୁ ଓଟିଭିରୁ ଇସ୍ତଫା ଦେବାକୁ ବାଧ୍ୟ କରୁଛନ୍ତି । ତାଙ୍କ ଚ୍ୟାନେଲ୍ ପକ୍ଷରୁ ସରକାରଙ୍କ ସମ୍ପର୍କରେ ନିରପେକ୍ଷ ସମ୍ବାଦ ପରିବେଷଣ କରାଯାଇଥାଏ । ତେଣୁ ତାଙ୍କ ଚ୍ୟାନେଲର କର୍ମଚାରୀଙ୍କୁ ଅଯଥାରେ ହଇରାଣ କରି ଇସ୍ତଫା ଦେବାକୁ ବାଧ୍ୟ କରା ନଯାଉ ବୋଲି ଏଥିରେ ସେ ଅପିଲ୍ କରିଛନ୍ତି । ତେବେ ଇତିମଧ୍ୟରେ ଜଣେ ପରେ ଜଣେ ବରିଷ୍ଠ ସାମ୍ବାଦିକ ଓଟିଭି ଛାଡ଼ି ଚାଲି ଯାଉଥିବା ଜଣାପଡ଼ିଛି । ପ୍ରଥମେ ଶାନ୍ତି ଭୂଷଣ ଓଟିଭି ଛାଡ଼ି ଥିବାବେଳେ ଏବେ ଅପୂର୍ବ ରଞ୍ଜନ ପଣ୍ଡା ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଦୀର୍ଘ ୨୩ ବର୍ଷର ଇତିହାସରେ ଓଟିଭି ଯେଉଁ ଗମ୍ଭୀର ପରିସ୍ଥିତି ଦେଇ ଏବେ ଗତି କରୁଛି, ତାହା ପୂର୍ବରୁ କେବେ ଦେଖାଯାଇ ନଥିଲା । ନିକଟରେ ଖୋର୍ଦ୍ଧାର ସାରୁଅ ଜମି ମାମଲାରେ ଓଟିଭି କର୍ତ୍ତୃପକ୍ଷ ଭୟଭୀତ କରି ଦଳିତ ଲୋକଙ୍କ ଜମି ସାଗମାଛ ଦରରେ ବେନାମୀ ଡିଲ୍ କରି ନିଜ ଡ୍ରାଇଭରଙ୍କ ନାମରେ କିଣିଥିବା ପୂର୍ବରୁ ଅଭିଯୋଗ ହୋଇଛି । ଦଳିତ ଲୋକଙ୍କ ଜମିକୁ ବେଆଇନ ଭାବରେ କିଣି ଥିବାରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୱିଟ କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । କର୍ମଚାରୀଙ୍କ ନାବାଳିକା ଝିଅକୁ ଗଣଧର୍ଷଣ, ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଏରାଲ୍‌, ଜମି କେଳେଙ୍କାରୀ ଓ ବେଆଇନ ଷ୍ଟୁଡିଓ ନିର୍ମାଣ ଭଳି ଅନେକ ଅଭିଯୋଗ ଯୋଗୁଁ ଓଟିଭି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ତେବେ ବିନା ନିଆଁରେ ଧୂଆଁ ବାହାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କର୍ମଚାରୀଙ୍କ ଓଟିଭି ଛାଡ଼ିବା ଏମ୍‌ଡିଙ୍କ ଚିନ୍ତା ବଢ଼ାଇଲା, ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ କଲେ ଅପିଲ୍ ‌!