(୧୯/୯) ମୁଁ ମରି ମରି ବଞ୍ଚୁଛି, ମୋତେ ଚିକିତ୍ସା କଲେ ମୁଁ ବଞ୍ଚିଯିବି, ମୋ ପ୍ରତି ଟିକିଏ ଦୟା କର। ସରକାର ମତେ ବଞ୍ଚାଅ। ଏଭରି ଆକୁଳ ନିବେଦନ କରୁଛନ୍ତି ଏକ ବନ୍ଦ କୋଠରୀ ଭିତରେ ଦୀର୍ଘ ୫ ବର୍ଷ ହେଲା ପଡ଼ି ରହିଥିବା ୬୦ ବର୍ଷୀୟ ଅସହାୟ ବୃଦ୍ଧ। ଗରିବ ତଥା ଅସହାୟଙ୍କ ପାଇଁ ସରକାରଙ୍କ ରହିଛି ମାଳମାଳ ଯୋଜନା କିନ୍ତୁ ଏହି ସବୁ ଯୋଜନା କେବଳ ଲୋକ ଦେଖାଣିଆ,ପହଞ୍ଚି ପାରୁନି ପ୍ରକୃତ ହିତାଧିକାରୀଙ୍କ ପାଖରେ।ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମର ଏକ ୬୦ ବର୍ଷୀୟ ବୃଦ୍ଧ ସୁବାସ ମୋହନ ବାଗ ଦୀର୍ଘ ୫ ବର୍ଷ ହେବ ପକ୍ଷାଘାତରେ ପୀଡ଼ିତ ହୋଇ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି, ଆଉ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।ହେଲେ ସହକାରୀ ସହାୟତା ତାଙ୍କ ପାଇଁ ପାଳିଟିଛି ସାତ ସପନ। ବୃଦ୍ଧଙ୍କ ପରିବାର କହିଲେ କେବଳ ସେ ଜଣେ। ସେ କୌଣସି କାରଣ ବଶତଃ ବିବାହ କରିବାକୁ ଇଛା କଲେ ନାହିଁ। ଏକା ଏକା ବଞ୍ଚିବା ଅଭ୍ୟାସ ଜାରି ରଖିଲେ। ଶେଷରେ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହେଲେ । ଏବେ ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ, ନା ପାଖରେ କେହି ଅଛନ୍ତି ଜୀବନ ବଞ୍ଚେଇବାକୁ ପାଣି ଟୋପାଏ ଦେବାକୁ । ଶରୀର ସମ୍ପୂର୍ଣ୍ଣ ଅଚଳ। ଅନେକ ବର୍ଷ ହେବ ୯୦ ପ୍ରତିଶତ ଶରୀର ଅକ୍ଷମ ଥିବାରୁ ଦୀର୍ଘ ୫ ବର୍ଷ ହେବ ଏକ ବନ୍ଦ କୋଠରୀ ମଧ୍ୟରେ ଗୋଟିଏ ଜାଗାରେ ହିଁ ସେ ବସି ରହିଛନ୍ତି। ସେହି କୁଡିଆ ଘରର ଅବସ୍ଥା କହିଲେ ନ ସରେ। କେତେବେଳେ ଭୁଶୁଡ଼ି ମୋହନଙ୍କ ଉପରେ ପଡ଼ିବ, ତାହାର ମଧ୍ୟ ଠିକ ଠିକଣା ନାହିଁ। ଏପରି ଅସହାୟ ଅବସ୍ଥାରେ ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ପାଇ ପାରୁ ନାହାନ୍ତି ମୋହନ। ଭୋକରେ ଡହଳ ବିକଳ ହୋଇ ଭଙ୍ଗା କୁଡ଼ିଆରେ ସେମିତି ପଡ଼ି ରହିଛନ୍ତି। କେବେ କେମିତି ଗାଁ ଲୋକେ ଦୟା ଦେଖେଇ ଖାଇବାକୁ ମୁଠାଏ ଦେଲେ ସେଥିରେ ସେ ଜୀବନ ବଞ୍ଚେଇ କି ରହିଯାନ୍ତି । ଆଉ ସରକାରୀ ସହାୟତା କହିଲେ ମାସକୁ କେବଳ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା। ସେଥିରେ କେମିତି ଚଳିବେ ମୋହନ। ବୃଦ୍ଧଙ୍କ ସମସ୍ୟା ବିଷୟରେ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି ସରକାରୀ ସହାୟତା ଯୋଗାଇ ଦିଆ ଯାଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅସହାୟ ବୃଦ୍ଧଙ୍କୁ ବନ୍ଦ କୋଠରୀ ଉଦ୍ଧାର କରି ଅଧିକ ଚିକିତ୍ସା କରାଇବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। (ରିପୋର୍ଟ-ବାବୁଲି ଗଣ୍ଡ)
୫ ବର୍ଷ ହେଲା ବନ୍ଦ କୋଠରୀ ଭିତରେ ପଡ଼ି ରହିଛନ୍ତି ୬୦ ବର୍ଷର ବୃଦ୍ଧ, ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ !
