ହଠାତ୍ ଲକ୍ଡାଉନ ଘୋଷଣା ଯୋଗୁଁ ଲୋକେ ନାହିଁ ନଥିବାର ହଇରାଣ କେତେ ଯେ ହେଇଛନ୍ତି, ତାହା ଦିନକୁ ଦିନ ସାମ୍ନାକୁ ଆସିଲାଣି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ଜଣେ ଓଜେସ୍ ପରୀକ୍ଷାର୍ଥୀ କଟକରେ ମାସେରୁ ଉର୍ଦ୍ଧ୍ୱ ସମୟ ହେଲା ବନ୍ଦୀ ଜୀବନ କାଟୁଥିବା ଖବର ହସ୍ତଗତ ହୋଇଛି, ଯିଏ କି ଜି୍ଲାଲପାଳଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପାଇଁ ପତ୍ରାଳାପ କରି ନିବେଦନ କରିଥିଲେ ବି କାହାଠୁ କୌଣସି ଉତ୍ତର ନ ପାଇ ଏବେ ବି ଜଣଙ୍କ ଘରେ ଆଶ୍ରୟ ନେଇ ରହୁଥିବା ଜଣାଇଛନ୍ତି ।
ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କୁଶମେଲ ଗ୍ରାମର ସୁଧିର ପ୍ରଧାନ ନାମକ ଜଣେ ଯୁବକ ଓକିଲ ଭାବେ କାର୍ଯ୍ୟ କରନ୍ତି । ଓପିଏସ୍ସି ପକ୍ଷରୁ ମାର୍ଚ୍ଚ ୩୦ ରୁ ଏପ୍ରିଲ ୪ ତାରିଖ ଯାଏଁ ହେବାକୁ ଥିବା ଓଜେଏସ୍ ପରୀକ୍ଷାର ପୂର୍ବ ପ୍ରସ୍ତୁତି ପାଇଁ ସେ କିଛି ଦିନ ପୂର୍ବରୁ କଟକରେ ପହଞ୍ôଚ ଯାଇଥିଲେ । ହଠାତ୍ ୨୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ୍ ଘୋଷଣା କରିବା ପରେ ସମସ୍ତ ଗାଡ଼ିମଟର ଓ ରେଳ ଚଳାଚଳ ବନ୍ଦ ହୋଇ ଯାଇଥିଲା । କୋଉଠି ହୋଟେଲ କି ଲଜ୍ ବି ଆଉ ଖୋଲି ନ ଥିଲା । ଫଳରେ ସେ ଆଉ ନିଜ ଘରକୁ ଫେରି ନ ପାରି ସେଠି ଅନ୍ୟ ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ଅନୁରୋଧ କରି ରହିଗଲେ । ଇତିମଧ୍ୟରେ ସେହି ପରୀକ୍ଷାଟି ଘୁଞ୍ଚି ଗଲା ଓ ସାଙ୍ଗରେ ସେ ଧରି ଯାଇଥିବା ପଇସାପତ୍ର ବି ସରିଗଲା । ତେଣୁ ସେ େଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉଭୟ ଜିଲ୍ଲାର ଜିଲ୍ଲାପାଳ, ମାନବାଧିକାର କମିସନ୍ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟର ଆହୁରି ଅନେକ ପଦାଧିକାରୀଙ୍କୁ ମେଲ୍ ପଠାଇଥିଲେ । ମଧୁମେହ ରୋଗରେ ପୀଡ଼ିତ ଥିଲେ ବି ସେ ଡାକ୍ତରଙ୍କ ପରାମର୍ଶକୁ ଆଉ ନ ମାନି ଯାହା ମିଳିଲା ତାହା ଖାଇ ଜୀବନ ଅତିବାହିତ କରୁଥିବା ମେଲ୍ରେ ଉଲ୍ଲେଖ କରିଥିଲେ ବି କୌଣସି ପଦାଧିକାରୀ ଉତ୍ତରଟିଏ ବି ଦେଇ ନଥିଲେ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
ଲକ୍ଡାଉନ୍ ଯୋଗୁଁ ଜୁଡିସିଏଲ୍ ପରୀକ୍ଷା ଦେବାକୁ ଯାଇ ପ୍ରାର୍ଥୀ କଟକରେ ବନ୍ଦୀ !
