ଗତ ୪ ତାରିଖରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ‘ଓଡ଼ିଶା ଶିକ୍ଷା ସଂଯୋଗ’ ନାମରେ ଏକ ଅଭୂତପୂର୍ବ ଯୋଜନା କାର୍ଯ୍ୟକାରୀ କରିଛି । ଯେଉଁଥିଲେ ୨ୟ ଶ୍ରେଣୀର ପିଲାଠୁ ଆରମ୍ଭ କରି ୧୦ମ ଶ୍ରେଣୀର ପିଲାମାନେ ଘରେ ବସି ‘ହ୍ୱାଟସଆପ’ ଯୋଗେ ପାଠ ପଢିବେ । ଛାତ୍ରଛାତ୍ରୀମାନଙ୍କର ‘ହ୍ୱାଟସଆପ’ ଗୃପ୍ ଗଠନ କରାଯିବ । ପ୍ରତିଦିନ ସେମାନଙ୍କ ପାଖକୁ କାର୍ଯ୍ୟ ପୁସ୍ତିକା ଓ ଉତ୍ତର ପୁସ୍ତିକା ଯିବ । ଗୋଟିଏ ପିରିଅଡ଼୍ର ସମୟ ୪୫ ମିନିଟ ରହିବ ଓ ଦିନକୁ ୪ ଟି ପିରିଅଡ଼୍ ହିସାବରେ ସପ୍ତାହରେ ୨୪ ପିରିଅଡ଼୍ ଲେଖାଏଁ ପାଠ ପଢ଼ା ହେବ । ଆଉ ଏସବୁ କାର୍ଯ୍ୟକୁ ତଦାରଖ କରିବାକୁ ବିଭିନ୍ନ ସ୍ତରରେ ବିଭିନ୍ନ ଅଧିକାରୀ ରହିବେ । ବୈଷୟୀକ ଚିନ୍ତାଧାରା ଦୃଷ୍ଟିରୁ ତ ଯୋଜନାଟି ବହୁତ ଉନ୍ନତ । କିନ୍ତୁ ଯେଉଁ ରାଜ୍ୟରେ ସରକାରଙ୍କ ଦ୍ୱାରା ପରିଚାଳିତ ହାଇସ୍କୁଲର କେତେକ ପିଲା ୫ମ ଶ୍ରେଣୀର ଗଣିତଟେ କରିବା ମୁସ୍କିଲ ବା ଯେଉଁଠାରେ ବାପା-ମା ଦୈନିକ ଗୁଜରାଣ ମେଣ୍ଟଇବା ନିମନ୍ତେ ଘରୁ ବାହାରକୁ ନ ବାହାରିଲେ ପେଟ ଚଳେ ନାହିଁ, ସେହିପରି ରାଜ୍ୟରେ ଏ ଯୋଜନା କାର୍ଯ୍ୟକାରୀ କରିବା କେତେ ଦୂର ଯୁକ୍ତିସାପେକ୍ଷ ? ଆଣ୍ଟ୍ରଏଡ ମୋବାଇଲ ଫୋନ୍ ନ ଥିବା ପିତାମାତାଙ୍କ ପାଇଁ ଏହା କଣ ଉପହାସ ନୁହେଁ? ଯଦି ବି କେଉଁ ଅଭିଭାବକ ‘ହ୍ୱାଟସଆପ୍’ ବ୍ୟବହାର କରୁଥିବେ, ତା ବୋଲି ସେ କଣ ନିଜ କାମଧନ୍ଦାକୁ ନ ଯାଇ ପିଲାଟିକୁ ପୁରା ୩ ଘଣ୍ଟା ପାଇଁ ମୋବାଇଲ ଫୋନ୍ ଦେଇଦେବେ ? ପିଲାଟି ଯଦି ପ୍ରତ୍ୟହ ମୋବାଇଲ ଫୋନରେ ଏମିତି ଲାଗି ରହିଲା, ତେବେ ସେ ନିଜ ଅଭିଭାବକଙ୍କୁ ଆଗକୁ କଣ ଆଣ୍ଟ୍ରଏଡ୍ ଫୋନଟିଏ ପାଇଁ ଦାବି କରିବନି? ଦୈନିକ ଏତେ ସମୟ ପିଲାଟି ଯଦି ଫୋନରେ ଲାଗି ରୁହେ, ତା ଆଖି ନଷ୍ଟ ହେବାର କଣ ଭୟ ନାହିଁ? ଏହିପରି ଆହୁରି ଅନେକ ପ୍ରଶ୍ନ ଅଛି, ଯାହାର ଉତ୍ତର ପାଇବା ଏତେ ସହଜ ନୁହେଁ । ଯଦି ସରକାର ଭାବୁଛନ୍ତି ଯେ, ଆମ ରାଜ୍ୟର ଆର୍ଥୀକ ଓ ସାମାଜିକ ସ୍ଥିତି ରଷିଆ ଓ ଆମେରିକାର ସମକକ୍ଷ, ତେବେ ସରକାରୀ ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ପ୍ରଥମେ ବନ୍ଦ କରି ଦିଅନ୍ତୁ! ଏହା କେବଳ ଘରେ ରହୁଥିବା ପିଲାଛୁଆ ଓ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅଯଥାରେ ହଇରାଣ କରିବା ଛଡ଼ା ଆଉ କିଛି ନୁହଁ ବୋଲି ଲୋକେ କହିଲେଣି । ଏଣୁ ଏହି ସବୁ ଦିଗକୁ ବିଚାର କରି ଜୁନ ୧୩ ଯାଏଁ ପରିଚାଳିତ ହେବାକୁ ଥିବା ଏହି ଯୋଜନାର ରୂପାୟନ କରିବାକୁ ଜନସାଧାରଣ ଦାବି ଜଣାନ୍ତି ।
‘ଓଡ଼ିଶା ଶିକ୍ଷା ସଂଯୋଗ’ ଶିକ୍ଷା ବିଭାଗର ଏକ ପ୍ରହସନ, ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ କେବଳ ହଇରାଣ !
