(୨୬/୯) ଓଡ଼ିଶା ହାଇକୋର୍ଟ ରାଜ୍ୟର ବର୍ତ୍ତମାନ ଓ ପୂର୍ବତନ ବିଧାୟକ ତଥା ସାଂସଦମାନଙ୍କ ନାମରେ ଥିବା ଅପରାଧିକ ମାମଲାର ସ୍ଥିତି ଜାଣିବା ପାଇଁ ରାଜ୍ୟ ସରକାରଙ୍କଠାରୁ ତଥ୍ୟ ମାଗିଛନ୍ତି । ବିଧାୟକ ଓ ସାଂସଦମାନଙ୍କ ନିମନ୍ତେ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା କରିବା ସମ୍ପର୍କରେ ହୋଇଥିବା ଏକ ମାମଲାର ଶୁଣାଣି କରି ସେପ୍ଟେମ୍ବର ୧୬ ତାରିଖ ଦିନ ସୁପ୍ରିମକୋର୍ଟ ଏକ ଆଦେଶ ଦେଇଥିଲେ । ବର୍ତ୍ତମାନ ଓ ପୂର୍ବତନ ବିଧାୟକ ତଥା ସାଂସଦମାନଙ୍କ ନାମରେ ଦେଶରେ ଥିବା ଅପରାଧିକ ମାମଲାର ବିଚାର କରି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ତାର ଫଇସଲା କରିବାକୁ ସୁପ୍ରିମକୋର୍ଟ ରାଜ୍ୟର ହାଇକୋର୍ଟମାନଙ୍କୁ ଆଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୯ ରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଥିବା ଜଣାପଡ଼ିଛି । ତେବେ ଏହାଦ୍ୱାରା ନିରୀହ ସାଂସଦ ଓ ବିଧାୟକ ମାନଙ୍କ ନାମରେ ଥିବା ମିଥ୍ୟା ମାମଲାରୁ ସେମାନଙ୍କୁ ମୁକୁଳିବାକୁ ସହଜ ହେବ, ହେଲେ ଯେଉଁ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ସାକ୍ଷୀପ୍ରମାଣ ରହିଛି, ସେମାନେ ଦଣ୍ଡରୁ କେମିତି ମୁକୁୁଳିବେ ତାହା ସେମାନଙ୍କୁ ଏବେଠୁ ଚିନ୍ତାରେ ପକାଇଥିବ ।
ଅପରାଧୀ ସାଂସଦ ଓ ବିଧାୟକ ଛାନିଆଁ : ଅପରାଧିକ ମାମଲାର ତ୍ୱରିତ ବିଚାର ନିମନ୍ତେ ବିବରଣୀ ମାଗିଲେ ଓଡ଼ିଶା ହାଇକୋର୍ଟ !
