ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପାଇଁ ‘ସମ୍ବିଧାନ ଦିବସ’ ଉପଲକ୍ଷେ ୧୦ ଟି ସଂଗଠନ ଦ୍ୱାରା ହେଲା ‘ଭାରତ ବନ୍ଦ’ !


(୨୬/୧୧) କେନ୍ଦ୍ର ସରକାର ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକର ଘରୋଇ କରଣ କରିବା ସହ ନିଜର ବନ୍ଧୁମାନଙ୍କୁ ଉପହାର ଭାବରେ ଯେପରି ଶାଗମାଛ ଦରରେ ରେଳବାଇ ଓ ବିଏସଏନଏଲ୍ ଭଳି ଲାଭଦାୟକ କମ୍ପାନୀଗୁଡ଼ିକ ଟେକି ଦେଉଛି, ତା ବିରୁଦ୍ଧରେ ଆଜି ଦେଶର ବିଭିନ୍ନ ଅଂଚଳରେ ଦଳିତ ନେତା ତଥା ପୂର୍ବ ସାଂସଦ ଡକ୍ଟର ଉଦିତ ରାଜଙ୍କ ନେତୃତ୍ୱରେ ଲୋକେ ପ୍ରତିବାଦ କରିଛନ୍ତି । ସମସ୍ତ ସରକାରୀ ସଂସ୍ଥାଗୁଡ଼ିକୁ ଘରୋଇକରଣ କରି ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଚେଦ କରିବା ପୂର୍ବକ ଦଳିତ ଓ ନିଷ୍ପେସିତ ଲୋକଙ୍କ ଉପରେ ସରକାର ଯେଉଁ ଅତ୍ୟାଚାର କରିବାକୁ ଯୋଜନା କରୁଛନ୍ତି, ତାହାକୁ ସବୁଆଡ଼େ ବିରୋଧ କରାଯିବ ବୋଲି ନେତାମାନେ ପ୍ରକାଶ କରିଛନ୍ତି । ତେବେ ୧୯୪୯ ମସିହାର ଆଜିର ଦିନରେ ସମ୍ବିଧାନ ଦେଶରେ ପ୍ରଣୟନ ହୋଇଥିବାରୁ ଆଜିର ଦିନରେ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପତିବାଦ କରାଯାଇଛି । ୧୦ ଟି ବଡ଼ବଡ଼ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଦେଶର ସବୁ ରାଜ୍ୟରେ ଦେଖିବାକୁ ମିଳିଥିଲା । ସରକାରଙ୍କ ଶ୍ରମିକ ଓ କୃଷି ବିରୋଧୀ ଆଇନ ବିରୁଦ୍ଧରେ କେନ୍ଦ୍ରୀୟ ବ୍ୟବସାୟିକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ର ଡାକରା ଦିଆଯାଇଥିଲା । ଦିଲ୍ଲୀର ଯନ୍ତରମନ୍ତରଠାରେ ମଧ୍ୟ ବିଭିନ୍ନ ସଂଗଠନର ନେତାମାନେ ବ୍ୟାପକ ମାତ୍ରାରେ ସରକାରଙ୍କ ଏସବୁ ଆଇନକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ପାଖାପାଖି ୨୫ କୋଟି କର୍ମଚାରୀ ଏହି ‘ଭାରତ ବନ୍ଦ’ ରେ ଅଂଶ ଗ୍ରହଣ କରିଥିବା ଟ୍ରେଡ୍ ୟୁନିଅନ୍ ପକ୍ଷରୁ କୁହାଯାଇଛି । ତେବେ ଦୁଇ ଦିନ ବ୍ୟାପୀ ଦିଲ୍ଲୀରେ ୍‌ପ୍ରଦର୍ଶନ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଠି, ଖଣ୍ଡା ଓ ବିଭିନ୍ନା ଅସ୍ତ୍ରଶ୍‌ସ୍ତ୍ର ସହ ଦିଲ୍ଲୀ ପହଂଚୁଥିବାରୁ ସରକାରଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡ଼ୁଛି । ପଞ୍ଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, କେରଳ, ହରିଆଣାରୁ ଅଧିକ ମାତ୍ରାରେ କୃଷକ ପହଂଚୁ ଥିବାରୁ ବାଟରେ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ସେମାନଙ୍କ ଉପରକୁ ପାଣି ମାଡ଼ କରାଯାଇଛି । ତେବେ କୃଷକମାନେ ବ୍ୟାପକ ମାତ୍ରାରେ ଦିଲ୍ଲୀରେ ପହଂଚି ଯାଇଥିବା ଜଣା ପଡ଼ିଛି । ପଞ୍ଜାବର କୃଷକମାନଙ୍କୁ ହରିଆଣା ସରକାର ଅଯଥାରେ ବାଟରେ ହଇରାଣ କରୁ ଥିବାରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କୃଷକମାନେ ଶାନ୍ତିରେ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଥିଲେ, ମଧ୍ୟ ହରିଆଣା ସରକାର ସେମାନଙ୍କୁ ଯିବା ରାସ୍ତାରେ କାହିଁକି ହଇରାଣ କରୁଛନ୍ତି । ତେବେ ଆଗାମୀ କାଲି ଦିଲ୍ଲୀରେ କୃଷକମାନଙ୍କ ପ୍ରଦର୍ଶନ ପରେ ସରକାର କୃଷି ଆଇନ ଓ ବିଭିନ୍ନ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇ କରଣ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ହେବ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ପାଇଁ ‘ସମ୍ବିଧାନ ଦିବସ’ ଉପଲକ୍ଷେ ୧୦ ଟି ସଂଗଠନ ଦ୍ୱାରା ହେଲା ‘ଭାରତ ବନ୍ଦ’ !