(୨୦/୮) ନବରଙ୍ଗପୁର ଜିଲ୍ଲାରେ ହେଉଥିବା ଲଗାଣ ବର୍ଷା କାରଣରୁ ନବରଙ୍ଗପୁର ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ନବରଙ୍ଗପୁର ସହର ମଧ୍ୟ ଦେଇ ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚତାର ବର୍ଷା ଜଳ ପ୍ରବାହିତ ହେଉଛି, ଯାହାଦ୍ୱାରା ଲୋକ ମାନଙ୍କ ଯାତାୟାତ ରେ ଅସୁବିଧା ସୃଷ୍ଟି ହୋଇଛି। ମୁଖ୍ୟ ଚିକିତ୍ସାଳୟ କୁ ଯାଉଥିବା ରାସ୍ତା ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ହେଉଛି। ଏହି ଲଗାଣ ବର୍ଷାରେ ସହରର ପ୍ରମୁଖ ନାଳ ଗୁଡିକରେ ବର୍ଷା ଜଳ ଭର୍ତି ହେବା ଫଳରେ ମେଦ୍ରୀ ସାହି,ଚିନ୍ତାଲ ପେଟା, ଭଳି ସାହି ଗୁଡିକର ଘର ମାନଙ୍କରେ ପାଣି ପଶି ରହିଛି।ଲୋକେ ରାତି ତମାମ ବର୍ଷା ପାଣି ଘର ଭିତରେ ପସିଯିବାରୁ ରାତି ଶୋଇପାରି ନାହାନ୍ତି।ଘରର ଅସବା ପତ୍ର ଗୁଡିକୁ କାଢି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି।ଯଦି ଏହିଭଳି ବର୍ଷା ଆଉ କିଛି ଦିନ ଲାଗିରହେ ତାହେଲେ ସହର ବାସୀ ଆଗକୁ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଆହୁରି ଅଧିକ ବର୍ଷା ହେଲେ ନଦୀ ନିକଟରେ ଥିବା ଦୁଇଟି ଗାଁ ସାନ ଡାଇଭଟ୍ଟା ଓ ବଡ ଡାଇଭଟା ଗ୍ରାମ ଜଳମଗ୍ନ ହେବା ସମ୍ଭାବନା ରହିଛି । ଜିଲ୍ଲାର ଇନ୍ଦ୍ରାବତୀ ନଦୀରେ ଧୀରେ ଧୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଇନ୍ଦ୍ରାବତୀ ର ଜଳ ଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୩୫ ମିଟର ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି । (ରିପୋର୍ଟ-ବାବୁଲି ଗଣ୍ଡ)
ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ସହର ବେହାଲ
