ମାଲକାନଗିରିରେ ଧର୍ମାନ୍ଧ ବ୍ୟକ୍ତିଙ୍କ ଦ୍ୱାରା ୧୪ ବର୍ଷର ନାବାଳକକୁ ହତ୍ୟା

(୦୯/୬) ମାଲକାନଗିରି ଜିଲ୍ଲା ମୁୁଦୁଲିପଡ଼ା ତହସିଲ ଅନ୍ତର୍ଗତ କେନ୍ଦୁଗୁଡ଼ା ଗାଁର ଜଣେ ୧୪ ବର୍ଷ ବୟସର ନାବାଳକକୁ କେତେକ ଧର୍ମାନ୍ଧ ବ୍ୟକ୍ତି ହତ୍ୟା କରିଥିବା ସୂଚନା ମିଳିଛି । ଗତ ୪ ତାରିଖ ରାତିରେ ଗ୍ରାମବାସୀଙ୍କ ସହ କେତେକ ଧର୍ମାନ୍ଧ ବ୍ୟକ୍ତି ୧୪ ବର୍ଷର ସମାରୁ ମାଡ଼କାମୀ ନାମକ ଜଣେ ନାବାଳକଙ୍କୁ ଏକ ସଭା ହେବ ବୋଲି ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ପିଟ କରି ତାଙ୍କ ବେକକୁ ଚିପି ହତ୍ୟା କରିବା ସହ ମୁଣ୍ଡକୁ ପଥରରେ ଛେଚି ଦେଇ ଶରୀରକୁ ଖଣ୍ଡ ଖଣ୍ଡ କରି ପକାଇଲେ । ଏହି କାଣ୍ଡ ଭିଆଇବା ପରେ ଅପରାଧିମାନେ ଶବକୁ ପୋତି ଦେଇ ଗାଁକୁ ଫେରି ଆସିଥିଲେ । ସେଦିନ ରାତି ୧୨ ଟାରେ ମୃତକର ଜଣେ ସମ୍ପର୍କୀୟକୁ ମଧ୍ୟ ବଳପୂର୍ବକ ଅପହରଣ କରିବାକୁ ଚେଷ୍ଟା କରିଥିଲେ, ହେଲେ ସେ କୌଣସିମୋତେ ସେମାନଙ୍କଠାରୁ ନିଜକୁ ବଂଚାଇ ଥାନାକୁ ଯାଇ ରିପୋର୍ଟ କରିଥିଲେ । ଅପରାଧିମାନଙ୍କ ହାତରେ ଛୁରୀ ଓ ଟାଙ୍ଗିଆ ଥିଲା ବୋଲି ଜଣାପଡ଼ିଛି । ଆଗରୁ ମଧ୍ୟ ସେହି ସମ୍ପର୍କୀୟଙ୍କୁ ସେମାନେ ଏକ ଝୋଟ ବସ୍ତାରେ ଭରି ନଦୀ ଭିତରକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଥିବା ସେ ‘ପର୍ସିକ୍ୟୁସନ ରିଲିଫ’ ନାମକ ଏକ ସଂସ୍ଥାର ପ୍ରତିନିଧିଙ୍କୁ ଜଣାଇଛନ୍ତି । ମୃତ ନାବାଳକର ବାପାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଥିଲା । କିନ୍ତୁ ଘଟଣା ଦିନ ସେ ନିଜ ଝିଅ ସହ ଡାକ୍ତରଖାନାରେ ଥିଲେ । ଏ ଘଟଣାଯୋଗୁଁ ମୃତ ନାବାଳକର ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । ଘଟଣା ପରଦିନ ସକାଳେ ବିଜୟ ନାମକ ସେଠିକାର ଜଣେ ପାଷ୍ଟର ମାଲକାନଗିରି ପୋଲିସ ଷ୍ଟେସନ୍‌ରେ ନାବାଳକ ନିଖୋଜ ସମ୍ପର୍କରେ ଅଭିଯୋଗ କରିବାରୁ ୩ ଟି ଗାଡ଼ିରେ ପୋଲିସ ଗାଁକୁ ଯାଇଥିଲେ, ହେଲେ ସେତେବେଳକୁ ଅପରାଧିମାନେ ଗାଁରୁ ଖସି ପଳାଇଥିଲେ । ଘଟଣା ସମ୍ପର୍କରେ ଥାନାରେ ୧୮୦/୨୦୨୦ ରେ ଆଇପିସିର ଧାରା ୧୮୬୦ ର ସେକ୍ସନ ୨୯୫-ଏ. ୩୬୭,୫୦୬, ୩୪ ରେ ଏକ ମାମଲା ରୁଜୁ ହୋଇଛି । ପୋଲିସକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୩ ବର୍ଷ ପୂର୍ବେ ମୃତକ ନାବାଳକ ଓ ତାଙ୍କ ପରିବାର ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ ଓ ସେମାନଙ୍କୁ ଗାଁର ଅଳ୍ପ କେତେକ ବ୍ୟକ୍ତି ଟାହିଟାପରା ଶୁଣାଉଥିଲେ । କିନ୍ତୁ ଘଟଣା ଘଟିଥିବା ରାତି ପ୍ରାୟ ୧୧ ଟା ଆଡ଼କୁ ଗାଁର କେତେକ ବ୍ୟକ୍ତି ଯଥା:-ଦେବ ମାଡ଼କାମୀ, ବୁଦ୍ରା ମୁଚାକି, ଆଇତା କବାସି, ରାବୁ ମାଡ଼ିଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ଜଙ୍ଗଲରେ ଏକ ସଭା ଅଛି କହି ତାଙ୍କୁ ଡାକି ନେଇଥିଲେ । ମୃତକ ନାବାଳକ ସମାରୁ ମାଡ଼କାମୀ ଅନେକ ସମୟରେ ଗାଁର ଯୁବକ ଓ ସାନସାନ ପିଲାଙ୍କୁ ବାଇବେଲରୁ ଶିକ୍ଷାମାନ ଦେଉଥିବା ମଧ୍ୟ ଜଣାପଡ଼ିଛି । ସୂଚନାନୁଯାୟୀ, ସେହି ଗାଁରେ ଏହି ବର୍ଷ ଆରମ୍ଭରୁ ଖ୍ରୀଷ୍ଟିୟାନମାନଙ୍କୁ ବିଭିନ୍ନ ସମୟରେ ଧମକଚମକ ଦିଆଯିବା ସହ ସେମାନଙ୍କ ଉପରେ ଅନେକ ଥର ଆକ୍ରମଣ ହୋଇଥିବା ପାଷ୍ଟର ବିଜୟ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ପ୍ରକାଶ ନ କରି କେତେକ ଓଡ଼ିଆ ସମ୍ବାଦପତ୍ର ‘ଧର୍ମ ପରିବର୍ତ୍ତନକୁ ନେଇ ପ୍ରଜାକୋର୍ଟରେ ହତ୍ୟା’ ଶୀର୍ଷକରେ ସମ୍ବାଦ ପ୍ରକାଶ କରିଥିବାରୁ ଖ୍ରୀଷ୍ଟିୟାନ ଲୋକେ ଏହାକୁ ନାପସନ୍ଦ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ମାଲକାନଗିରିରେ ଧର୍ମାନ୍ଧ ବ୍ୟକ୍ତିଙ୍କ ଦ୍ୱାରା ୧୪ ବର୍ଷର ନାବାଳକକୁ ହତ୍ୟା