(୧୪/୭) ନବରଙ୍ଗପୁର ଜିଲ୍ଲାରେ ଗରିବ ଖଟିଖିଆଙ୍କ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା । ମାତ୍ର ଅନେକ ସମୟରେ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଏହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇ ପଲିଥିନ୍ ତଳେ ଜୀବନ କାଟୁଛନ୍ତି ପାପଡାହାଣ୍ଡି ବ୍ଲକ ମୈଦଲପୁର ଗାଁର ତୁଳାରାମ ମାଝୀ । ସ୍ତ୍ରୀ, ୨ ପୁଅ ଓ୨ ଝିଅଙ୍କୁ ନେଇ ଝାଟିମାଟିର ଭଙ୍ଗା ଘରେ ବିତୁଛି ତୁଳାରାମଙ୍କ ଜୀବନ । ନା ଅଛି ବ୍ୟାଙ୍କ ଏକାଉଣ୍ଟ ନା ଅଛି ଜବକାର୍ଡ । ଦିନ ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି ତୁଳାରାମ । ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ ୬ ପ୍ରାଣୀ କୁଟୁମ୍ବ ଦୁଇ ଓଳି ଦୁଇମୁଠା ପେଟପୁରା ଖାଇବାକୁ ପାଉନଥିବା ବେଳେ ଘର ତିଆରି କଥା ପଚାରେ କିଏ ? ଏପରି ସ୍ଥଳେ ଘରଟିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କର ଗୁହାରି ଶୁଣିନଥିବା କହିଛନ୍ତି ତୁଳାରାମ । ତେଣୁ ବାଧ୍ୟ ହୋଇ ପଲିଥିନ ତଳେ କାଟୁଛନ୍ତି ଦିନ । ସେପଟେ ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ,ବ୍ଲକ ପ୍ରଶାସନ, ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ସୁଦ୍ଧା ତାଙ୍କରି କଥା କେହି ଶୁଣୁନଥିବା କହିଛନ୍ତି. ସରକାର ଗରିବ ଅସହାୟ ଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ଡିଣ୍ଡରା ପିଟୁଥିବା ବେଳେ ତୁଳାରାମ ଙ୍କ ପରିବାରର ସ୍ଥିତି ଦେଖିଲେ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବଳ ପଲିଥିନ ତଳେ ରହୁଛନ୍ତି ତାହା ନୁହଁ ଉକ୍ତ ଘରେ ମଧ୍ୟ ରୋଷେଇ କାର୍ଯ୍ୟ ହେଉଛି । ଜଣେ ଜଣେ ଅଯୋଗ୍ୟ ହିତାଧିକାରୀ ଦୁଇ ଦୁଇଟି ପକ୍କା ଘର ହାତେଇ ନେଉଥିବାବେଳେ ଯୋଗ୍ୟ ହିତାଧିକାରୀଟିଏ ଆବାସ ଯୋଜନାରୁ ବଞ୍ଚିତ ହେବା ସରକାରୀ ଯୋଜନା ପ୍ରତି ଉପହାସ ନୁହେଁ କି ? ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁଳାରାମଙ୍କ ପରିବାରକୁ ଘର ଯୋଗେଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି । (ରିପୋର୍ଟ : ବାବୁଲି ଗଣ୍ଡ)
ପଲିଥିନ୍ ତଳେ ଜୀବନ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କାହିଁ?
