(୧୬/୯) ଲକ୍ଷ୍ନୌର ସିବିଆଇର ସ୍ୱତନ୍ତ୍ର କୋର୍ଟ ସେପ୍ଟେମ୍ବର ୩୦ ତାରିଖ ଦିନ ଚୂଡ଼ାନ୍ତ ରାୟ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ଏହି ଦିନ କୋର୍ଟରେ ଭାରତୀୟ ଜନତା ପାର୍ଟିର ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ ଓ ଉମା ଭାରତୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତ ହାଜର ହେବାକୁ ହେବାକୁ ସମନ ଜାରି କରାଯାଇଛି । ଏହି ମାମଲାର ଚୂଡ଼ାନ୍ତ ରାୟ ସିବିଆଇ ଜଜ୍ ଏସ୍ କେ ଯାଦବ ଶୁଣାଇବେ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ସ୍ୱତନ୍ତ୍ର ଜଜ୍ ସମ୍ପୂର୍ଣ୍ଣ ଶୁଣାଣି ପାଇଁ ୩୦ ଅଗଷ୍ଟ ଯାଏଁ ସମୟ ସୀମା ନିର୍ଦ୍ଧାରଣ କରିଥିଲେ । ଯଦି ଅଭିଯୁକ୍ତମାନେ ମୌଖିକ ଭାବରେ କିଛି କହିବାକୁ ଚାହୁଁଛନ୍ତି, ତେବେ ୧ ସେପ୍ଟେମ୍ବର ଭିତରେ କହିବେ ନଚେତ୍ ସେମାନଙ୍କ ପାଇଁ ଆଉ କୌଣସି ସୁଯୋଗ ରହିବ ନାହିଁ । ଏହାପରେ ଅଭିଯୁକ୍ତ ମାନଙ୍କ ପକ୍ଷର ଓକିଲ ଲଳିତ ସିଂ, ଆର କେ ଯାଦବ ଓ ପି ଚକ୍ରବର୍ତ୍ତି କୋର୍ଟକୁ ମୌଖିକ ଦଲିଲ ଦେଇଥିଲେ । ସିବିଆଇର ଶୁଣାଣି ସମୟରେ ୩୫୧ ଜଣ ସାକ୍ଷୀ ଓ ୬୦୦ ଟି ପ୍ରମାଣପତ୍ର ପ୍ରସ୍ତୁତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏଠାରେ ପୂର୍ବରୁ ଭଗବାନ ରାମଙ୍କ ମନ୍ଦିର ଥିଲା ବୋଲି ଦାବୀ କରି ବାବ୍ରୀ ମସଜିଦକୁ ୧୯୯୨ ମସିହା ଡିସେମ୍ବର ମାସରେ କରସେବକମାନେ ଧ୍ୱଂସ କରି ଦେଇଥିଲେ । ୨୮ ବର୍ଷ ପରେ ଏହି ମାମଲାର ଚୂଡ଼ାନ୍ତ ରାୟ ଶୁଣିବାକୁ ମିଳିବ ।
ବାବ୍ରୀ ମସଜିଦ ଭଙ୍ଗା ଘଟଣା: ୩୦ ସେପ୍ଟେମ୍ବରରେ ସମସ୍ତଙ୍କୁ ହାଜର ହେବାକୁ ସିବିଆଇ କୋର୍ଟର ଆଦେଶ
