କର୍ଣ୍ଣ, ଏକଲବ୍ୟ ଓ ଅନ୍‌ଲାଇନ୍ ଶିକ୍ଷା (ପ୍ରବନ୍ଧ)

ଡଃ. ବାସନ୍ତୀ ମହାନ୍ତି


କୁରୁ ରାଜକୁମାରମାନଙ୍କୁ ଶିକ୍ଷା ଦେବା ପାଇଁ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଥିଲେ । ଦ୍ରୋଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ଶିକ୍ଷାଦାନ ପ୍ରକ୍ରିୟା ଚାଲିଥିଲା । ସୁତୁତ୍ର କର୍ଣ୍ଣ ଓ ଆଦିବାସୀ ବାଳକ ଏକଲବ୍ୟଙ୍କୁ ଏହି ଶିକ୍ଷା ବ୍ୟବସ୍ଥାର ବାହାରେ ରଖାଯାଇଥିଲା । ଦୁହେଁ ଥିଲେ ଆସାଧାରଣ ଜ୍ଞାନ ପିପାସୁ। ନିଜ ନିଜ ଉପାୟରେ ସେମାନେ ଶିକ୍ଷା ଅର୍ଜନରେ ସମର୍ଥ ହେଲେ । କିନ୍ତୁ ତତ୍‌କାଳୀନ ସାମାଜିକ ବ୍ୟବସ୍ଥା ଏତେ ଜଟିଳ ଥିଲା ଯେ ଦୁହିଁଙ୍କର ବିଦ୍ୟା କୌଣସି କାମରେ ଲାଗି ପାରିଲା ନାହିଁ । କର୍ଣ୍ଣଙ୍କର ବିଦ୍ୟା ଅସଲ ସମୟରେ ବିସ୍ମତ ହୋଇଗଲା ବେଳକୁ ବିଚାରା ଆରଣ୍ୟକ ପିଲାଟିର, ବିଦ୍ୟାକୁ ଅକାମୀ କରି ଦିଆଗଲା । ତା ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ କାଟି ନିଆଗଲା । ଜଣେ ରାଜ୍ୟ ବାହାରକୁ ଯାଇ ଶିକ୍ଷା କରି ଆସିଥିଲା, ଆଉ ଜଣେ ଶିକ୍ଷା କରିଥିଲା ଆଜିକାଲିକା ପରିଭାଷାରେ ଅନ୍‌ଲାଇନ୍ ହେଉ ବା ଦୂର ପାଠ୍ୟକ୍ରମ ଶିକ୍ଷା, ସେଇ ରାଜକୁମାରମାନଙ୍କ ଭିତରେ କିଏ ଧନୁର୍ବିଦ୍ୟାରେ ପାରଙ୍ଗମ ତ ଆଉ କିଏ ଗଦାବିଦ୍ୟାରେ । ଆଉ କିଏ ରଥ ଚାଳନା ତ ଆଉ କିଏ ବର୍ଚ୍ଛା ଚାଳନା, ଖଣ୍ଡା ଚାଳନା ଆଦିରେ ଶ୍ରେଷ୍ଠ ବୋଲି ବିବେଚିତ ହେଲେ । କୁରୁବଂଶର ଘୋଷଣାନାମା ଅନୁସାରେ ସେମାନଙ୍କୁ ପ୍ରମାଣପତ୍ର ମିଳିଗଲା । ଏସବୁ ପୁରୁଣା କଥା ହୋଇପାରେ, କିନ୍ତୁ ହିଷ୍ଟ୍ରି ରିିଟସ୍ ଇଟ୍‌ସେଲ୍ଫ ବା ଇତିହାସର ପୁନରାବୃତ୍ତି ନ୍ୟାୟରେ ଏବେ ପୁଣି ସେଇଭଳି ପରିସ୍ଥିତିର ଆମେ ସମ୍ମୁଖୀନ ହେଉଛୁ ।

ଏବେ କରୋନାକ୍ରାନ୍ତ ସମାଜରେ ପ୍ରତିଟି କ୍ଷେତ୍ର ବିପର୍ଯ୍ୟସ୍ତ। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି, ସାମାଜିକ ସଂପର୍କ ଆଦି କ୍ଷେତ୍ରରେ ଉପୁଜି ଥିବା ସଂକଟକୁ ସୁଧାରିବା ପାଇଁ ସରକାର ଯତ୍‌ରୋନାସ୍ତି ଚେଷ୍ଟା ଜାରି ରଖିଛନ୍ତି । ଆର୍ଥିକ କ୍ଷେତ୍ରରେ ଏବେ କିଛି ସୁଧାର ଆସୁଛି ବୋଲି ଭାରତୀୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶଶୀକାନ୍ତ ଦାସ କହିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି ଛୋଟ ଛୋଟ ସାମାଜିକ ପର୍ବପର୍ବାଣୀ ପାଳିତ ହେଲାଣି । ଲକ୍‌ ଡାଉନ୍ ସତ୍ତ୍ୱେ ଗାଡିମଟର ଚାଲିଛି । ଗମନା ଗମନ ସୁବିଧା କିଛି ପରିମାଣରେ ସୁଧୁରିଲାଣି । ଅନେକ ଆଶା ଆକାଂକ୍ଷା ଭିତରେ ରଥଯାତ୍ରା ସମ୍ପନ୍ନ ହେଲା । ମନ୍ଦିର ପ୍ରତିଷ୍ଠା ହେଉଛି । କିଛି କିଛି ପୂଜାପାର୍ବଣକୁ ସରକାର ନିଷିଦ୍ଧ କଲେ ମଧ୍ୟ ଆଉ କେତେକ କଟକଣା ଭିତରେ ହେଉଛି । ଏହା ଭିତରେ ଏବେ ଆସିଲାଣି ଲକ୍‌ଡାଉନ୍‌ର ଆଉ ଏକ ପର୍ଯ୍ୟାୟ ।


ପଟ୍ଟାମୁଣ୍ଡାଇରେ ଦୁଇହଜାର ଲୋକଙ୍କୁ ନେଇ ମନ୍ଦିର ପ୍ରତିଷ୍ଠା ଭୋଜିଭାତ କରୁଥିବାବେଳେ
ପୋଲିସ୍‌ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଛି । ଏଇ ଅମାନିଆମାନେ ସବୁ ଯୁଗରେ ଅଛନ୍ତି, ଏବେ ବି ରହିବେ। ସେମାନଙ୍କୁ ଆୟତ୍ତ କରିବାକୁ ଆମ ଦେଶର ଦଣ୍ଡବିଧାନ ରହିଛି । ସେମାନେ ଦଣ୍ଡିତ ବି ହେଉଛନ୍ତି । କିନ୍ତୁ ଯାହା ସଂପୂର୍ଣ୍ଣ ଅଣାୟତ୍ତ ହୋଇଯାଉଛି, ଯାହାର ପ୍ରଭାବ ପିଢ଼ି ପିଢ଼ି ଧରି ଆମକୁ ମୁକ, ଅଥର୍ବ ଓ ଅଜ୍ଞାନୀ କରି ରଖିଦେବ। ସବୁଠାରୁ ବେଶି କରୋନା କବଳିତ ହୋଇଛି ପ୍ରାଥମିକ ଶିକ୍ଷା। ମାର୍ଚ୍ଚ ମାସ ଶେଷ ସପ୍ତାହ, ବର୍ଷସାରା ପରିଶ୍ରମ କରିଥିବା ଛାତ୍ରଛାତ୍ରୀ କୃତିତ୍ୱ ପ୍ରଦର୍ଶନ କରିଥାନ୍ତେ । ପରୀକ୍ଷା ଥିଲା ସେମାନଙ୍କ ପାଇଁ ପ୍ଲାଟଫର୍ମ। ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିଥା’ନ୍ତା । ନିଜର ଯୋଗ୍ୟତା ଅନୁସାରେ ଚାକିରି ଇଥାଆନ୍ତେ ଅଥବା ଉଚ୍ଚଶିକ୍ଷା ଲାଭ କରିଥାନ୍ତେ । ଅଧା ପରୀକ୍ଷା ପରେ ଯାହା ତାହା ଉପାୟରେ ସେମାନଙ୍କୁ ଉପର କ୍ଲାସକୁ ଉଠାଇ ନିଆଗଲା । ଧୂଆ ମୂଳା ଅଧୂଆ ମୂଳା ସବୁ ସମାନ ହୋଇଗଲେ । ସେତେବେଳେ ଆଉ ବିକଳ୍ପ କିଛି ନଥିଲା । କିନ୍ତୁ ଏବେ ଆରମ୍ଭ ହୋଇଛି ଅସଲ ସମସ୍ୟା । ବର୍ତ୍ତମାନର ପରିସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତ । କେତେକାଳ ଏ ସଂକଟ ଦେଇ ଆମେ ଗତି କରିବୁ ତା’ କୌଣସି ନିଶ୍ଚିତ ନାହିଁ । କେବଳ ସଟ୍‌ଡାଉନ୍‌, ଲକ୍‌ଡାଉନ୍ ଭିତରେ ବଂଚି ହେବ ନାହିଁ । ଜୀବନ ସହ ଜୀବିକାର ଅଙ୍ଗାଙ୍ଗୀ ସଂପର୍କ ରହିଛି । ସଂକଟକୁ ଭୟ କରି ଗୋଟାଏ ବିନ୍ଦୁରେ ଅଟକି ଗଲେ ହେବ ନାହିଁ । ଆଗକୁ ବଢ଼ିବାକୁ ପଡିବ । ପ୍ରତ୍ୟେକ ବିଭାଗ ପରି ସଂପୂର୍ଣ୍ଣ ସ୍ଥାଣୁ ପାଲଟି ଯାଉଥିବା ଶିକ୍ଷା ବିଭାଗକୁ ସଜଡା ଯାଉଚି ନିଃସ୍ୱ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ । ବିଶ୍ୱବିଦ୍ୟାଳୟମାନ ତ ସଜଡ଼ା ହେଇଯିବ । ବେଶି କିଛି ରକ ପଡିବନି । କିନ୍ତୁ ଏଇ କର୍ଣ୍ଣ, ଏକଲବ୍ୟ ମାନଙ୍କର ନିଃସ୍ୱ ବିଦ୍ୟାଳୟ ପାଇଁ ଦାରୁଣ ସଙ୍କଟ ହୋଇଛି ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ।

ୱାନ୍ ନେସନ୍ ୱାନ୍ ଅନ୍‌ଲାଇନ୍ ଏଜୁକେସନ ପାଇଁ ଏବେ ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ପ୍ରକୃତରେ କ’ଣ ଆମେ ୱାନ ନେସନ ହୋଇ ଅଛୁ? ୭୩% ସଂପତ୍ତି ଆମ ଦେଶରେ ଏକ ପ୍ରତିଶତ ଲୋକଙ୍କ ପାଖରେ ଥିଲାବେଳେ ୯୯% ଲୋକଙ୍କ ପାଖରେ ରହିଛି ୨୭ ପ୍ରତିଶତ ସଂପତ୍ତି। ଏଇ ୯୯ ପ୍ରତିଶତ ଲୋକଙ୍କ ଭିତରୁ ଅନେକ ଶୂନ୍ୟ ବି । ଉପକୂଳବର୍ତ୍ତି ଅଂଚଳଠାରୁ ଉପାନ୍ତ ଅଂଚଳ ପର୍ଯ୍ୟନ୍ତ ସବୁଆଡ଼େ ଏମାନେ ଅଛନ୍ତି । ଏମାନଙ୍କ ପାଖରେ ଘରଦ୍ୱାର, ଜାଗାବାଡ଼ି ଆଦି କିଛି ପ୍ରମାଣପତ୍ର ନଥିବାରୁ ସରକାରୀ ସାହାଯ୍ୟମାନ ସେମାନଙ୍କ ପାଖରେ ପହଂଚେ ନାହିଁ । ଲକ୍‌ଡାଉନ୍ ସମୟର ଲକ୍ଷଲକ୍ଷ ଲୋକ ପୋକମାଛି ପରି ଯେମିତି ରାସ୍ତାଘାଟରେ ଡହଳ ବିକଳ ହେଉଥିଲେ ଆମେ କେମିତି କଳ୍ପନା କରିବା ଯେ, ସେମାନଙ୍କ ପାଖରେ ତାଙ୍କ ପିଲାମାନଙ୍କୁ ଅନ୍‌ଲାଇନ୍ ଶିକ୍ଷା ଦେବା ପାଇଁ ସାମର୍ଥ୍ୟ ଅଛି? ମିଳିତ ଜାତିସଂଘର ଶିକ୍ଷା କମିଶନ୍ ମଧ୍ୟ ଭାରତରେ ଅନ୍‌ଲାଇନ୍ ଶିକ୍ଷା ଏକ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି। ଆମ ଦେଶର ୭୩ ପ୍ରତିଶତ ସଂପତ୍ତି ଭୋଗ କରୁଥିବା ଏକ ପ୍ରତିଶତ ଯୁବରାଜମାନଙ୍କ ପାଇଁ ଅନ୍‌ଲାଇନ୍ ଶିକ୍ଷା କିଛି ଫରକ ପଡିବ ନାହିଁ । କରୋନା କାଳୀନ ସାମାଜିକ ଦୁର୍ବିପାକ ପ୍ରକୃତରେ ସେମାନଙ୍କୁ କିଛି ଆକ୍ରାନ୍ତ କରିନାହିଁ । ସେମାନେ ଉଚ୍ଚବର୍ଗର । ସେମାନଙ୍କର ସବୁ କିଛି ଉଚ୍ଚତମ । ସେମାନଙ୍କ ସ୍କୁଲ ଭଲ । ଶିକ୍ଷକ ଭଲ । ଟିଉସନ ଶିକ୍ଷକ ଭଲ । ପିତାମାତା ମାନେ ଅଧିକ ସଚେତନ । ଘରେ ସବୁକିଛି ସାଧନ ସେମାନେ ଉପଭୋଗ କରନ୍ତି । ୱାନ ନେସନ୍ ୱାନ୍ ଅନ୍‌ଲାଇନ୍ ଏଜୁକେସନ ହେଲେ ବି ତ ରାଜକୁମାରଙ୍କ ପରି ସ୍ୱତନ୍ତ୍ର ଶିକ୍ଷାଦାନ ପାଇଥା’ନ୍ତି । ସବୁ ସାହେବମାନଙ୍କ ଆଦବ କାଇଦାରେ ସେମାନେ ବଢ଼ନ୍ତି । ପାଠପଢ଼ା ପରେ ସେମାନଙ୍କ ନିଶ୍ଚିତ ନିଯୁକ୍ତି ହୋଇଯାଏ । ସେମାନେ ସେହି ଉଚ୍ଚବର୍ଗ ହୋଇ ରହିଯାଆନ୍ତି । ସେମାନଙ୍କ ପାଦରେ ମାଟି ଲାଗେ ନାହିଁ ।

କିନ୍ତୁ କର୍ଣ୍ଣ ଏକଲବ୍ୟମାନଙ୍କୁ ଚିରଦିନ ସବୁ ସୁବିଧାରୁ ବଂଚିତ କରାଯାଇଥାଏ । ଏମାନେ ସଦା ସର୍ବଦା ଭୋକ ଶୋଷରେ ଜୁଡୁବୁଡୁ । ସମସ୍ତଙ୍କ ଘରେ ବିଜୁଳି ବତୀ ନଥାଏ । ଯେଉଁଠି ବିଜୁଳି ସଂଯୋଗ କରାଯାଇଛି, ସେଠି ସବୁବେଳେ ଆସେ ନାହିଁ ବିଦ୍ୟୁତ୍ । ଅନେକଙ୍କ ଘରେ ପଢ଼ା ଟେବୁଲ୍ ନାହିଁ । ପିଲାମାନଙ୍କ ପାଇଁ ଅଲଗା ପଢ଼ା ରୁମ୍ ନାହିଁ । ସେଇ ଗହଳି ଭିତରେ ସପ ଖଣ୍ଡେ ପକେଇ ଦେଇ କିମ୍ବା ମାଟି ଚଟାଣରେ ପେଟେଇ ପଡି ପଢୁଥାନ୍ତି ପିଲାମାନେ । କମ୍ପ୍ୟୁଟର ସଂଯୋଗ, ଲାପ୍‌ଟପ୍ ସ୍ମାର୍ଟଫୋନ୍‌ ଏସବୁ ସେମାନଙ୍କ ।ଇଁ ପ୍ରହେଳିକା। ସାଦା ୧୦୦୦ ଟଙ୍କା ବାଲା ଫୋନ୍‌ ମଧ୍ୟ ନଥାଏ ସମସ୍ତଙ୍କ ଘରେ । ସ୍କୁଲ କିମ୍ବା କଲେଜରେ ଯେଉଁ ଫୋନ୍‌ ନମ୍ବର ଯୋଗାଯୋଗ ପାଇଁ ଦେଇଥାଆନ୍ତି, ତାହା ସବୁବେଳେ ସେମାନଙ୍କର ବାପମାଆଙ୍କର ହୋଇ ନଥାଏ । ଭାଇ କକା ମାମୁଁ ମାଉସୀ ପିଉସୀ, ଅଜା ଏପରିକି ପଡ଼ିଶା ଘର କି ଗାଁ ମୁଖିଆର ବି ହୋଇଥାଏ । ଶିକ୍ଷକ, ଶିକ୍ଷୟିତ୍ରୀ ଆବଶ୍ୟକବେଳେ ଫୋନ୍ କଲେ କୋଉ ପାହାଡ଼, ଡଙ୍ଗର, ଚାଷ ଜମି. ଗାଇଗୋଠ ଅଥବା ହାଟମାନଙ୍କରୁ ଆସେ ଉତ୍ତର । ଘରେ ଯାହାର ଫୋନ୍‌ଟିଏ ନାହିଁ, ସେମାନଙ୍କ ।ଇଁ ନେଟ୍‌ୱାର୍କ ବ୍ରଡ୍‌ବ୍ୟାଣ୍ଡ ୱାଇ ଇ ଆଦି ଶବ୍ଦ ବହୁତ ବଡ ବଡ କଥା । ସେମାନେ ପେଟପାଟଣା ପାଇଁ ଏତେ ବ୍ୟସ୍ତ ଯେ, ପିଲାମାନଙ୍କର ଏ ଦାୟିତ୍ୱ ତୁଲାଇବାକୁ ସଂପୂର୍ଣ୍ଣ ଅକ୍ଷମ । କଲେଜରେ ସୁଦ୍ଧା ଅନ୍‌ଲାଇନ୍ ପାଇଁ ଦଶ ପ୍ରତିଶତ ପିଲାଙ୍କର ଉପସ୍ଥାନ ହେଉନାହିଁ । ଏସବୁ ଆଦିବାସୀ ଅଧ୍ୟୁଷିତ ଅ ।ର ଚିତ୍ର । ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ସ୍କୁଲରେ ପାଠ ପଢ଼େଇବା ସମୟରେ ଯେଉଁ ପିଲାମାନଙ୍କର ଉପସ୍ଥାନ ହୁଏ ନାହିଁ, ସେମାନଙ୍କୁ ସ୍କୁଲକୁ ଆଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ହୁଏ । କେବେ ସେମାନେ ବଣଜଙ୍ଗଲକୁ ଯାଇଥା’ନ୍ତି ତ ଆଉ କେବେ ବାପାମାଆଙ୍କ ସାଙ୍ଗରେ କୌଳିକ ବୃତ୍ତିରେ । ସ୍କୁଲରେ ସିଧାସଳଖ ପିଲାମାନଙ୍କୁ ଶିକ୍ଷା ଦେବା ବେଳେ ଛାତ୍ର ଉପସ୍ଥାନ ଯେଉଁ ଦେଶରେ ଏହି ଅବସ୍ଥା । ସେଠାରେ ସେମାନଙ୍କୁ ଅନଲାଇନ୍‌ରେ ୱାନ ନେସନ୍ ୱାନ ଅନ୍‌ଲାଇନ୍ ଶିକ୍ଷା ଦେବା କଥା ଚିନ୍ତା କରିବା ଅର୍ଥ ଏଇ ସର୍ବହରା ଗୋଷ୍ଠୀଙ୍କ ସନ୍ତାନମାନଙ୍କୁ ଗୋଟିଏ ପିଢ଼ି ପର୍ଯ୍ୟନ୍ତ ମୁର୍ଖକରି ରଖିବା ।

ସମାଜରେ ଯେତେବେଳେ ସାମାଜିକ ବିପର୍ଯ୍ୟୟ ଆସେ, ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଥାନ୍ତି ନିମ୍ନବର୍ଗର ଲୋକେ । ସେମାନଙ୍କ ପାଖରେ ଯତ୍‌କିଂଚିତ୍‌ ଥାଏ, ସେସବୁ ଚାଲିଯାଏ ଧନୀ ଲୋକର ଭଣ୍ଡାରକୁ । ଦେଶରେ ଦୁର୍ଭିକ୍ଷ ପଡିଲେ ଗରିବ ଲୋକଙ୍କ ଘରୁ ସୁନାରୂପା, କଂସା ପିତଳ, ଜମିବାଡ଼ି, ଘରଡ଼ିହ ଖଣ୍ଡକ ବି ବନ୍ଧା ପଡିଯାଏ ମହାଜନ ଘରେ । ଏବେ କରୋନା କାଳୀନ ଯେଉଁ ଅନଲାଇନ୍ ଶିକ୍ଷା ପ୍ରଚଳନ କରାଯାଇଛି ତା କେବଳ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରମାନଙ୍କୁ ଶୂନ୍ୟ କରିବ ନାହିଁ, ସେମାନଙ୍କ ମସ୍ତିଷ୍କକୁ ମଧ୍ୟ ଶୂନ୍ୟ କରିଦେବ । ଗରିବ ଖଟିଖିଆ ମେହେନତି ମଣିଷ ମାନେ ଧନୀିଲାଙ୍କ ପରି ବଡ ବଡ ଭିତ୍ତିଭୂମି ସ୍କୁଲରେ ନ ହେଉ ପଛେ ସରକାରୀ ଚାକିରି ପାଉଥିଲେ କିନ୍ତୁ ଏବେ ସେସବୁ ଆଶା ମଉଳି ଯାଉଛି । ଜାତୀୟ ଶିକ୍ଷାନୀତି ଅନୁସାରେ ଦଶମ ଶ୍ରେଣୀର୍ଯ୍ୟନ୍ତ କୌଣସି ପିଲାଙ୍କୁ ଫେଲ କରାଯାଇ ପାରିବ ନାହିଁ। ସେମାନେ କ୍ଲାସରୁ କ୍ଲାସ ଉଠି
ଉଠି ଯିବେ କିନ୍ତୁ କର୍ଣ୍ଣ ଓ ଏକଲବ୍ୟଙ୍କ ପରି କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ ।
ମୋ – ୯୪୩୭୦୩୩୦୭୪

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କର୍ଣ୍ଣ, ଏକଲବ୍ୟ ଓ ଅନ୍‌ଲାଇନ୍ ଶିକ୍ଷା (ପ୍ରବନ୍ଧ)