(୨୩/୯) କେନ୍ଦ୍ର ସରକାର ନିଜେ ତିଆରି କରିଥିବା ଆଇନକୁ ଉଲଂଘନ କରିଥିବା ଦେଖିବାକୁ ମିଳିଛି, ଯାହା ଫଳରେ କି ସରକାରଙ୍କୁ ଏବେ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି । କଥାଟି ଯାଇ ଏବେ ବମ୍ବେ ହାଇକୋର୍ଟରେ ପହଂଚିଛି । ‘ଦ ୱେୟାର’ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ସାକେତ ଗୋଖଲେ ଅକ୍ଟୋବର ୨୦୧୯ ରେ ସେ ସୂଚନା ଅଧିକାର ବଳରେ ଦେଇଥିବା ଆବେଦନଟି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଖରେ ପହଂଚିଥିଲା । ଏହା ମନ୍ତ୍ରଣାଳୟର ୱେବସାଇଟ୍ରେ ଅପଲୋଡ୍ ହେବା ପରେ ତାଙ୍କର ବ୍ୟକ୍ତିଗତ ଯୋଗାଯୋଗର ସବିଶେଷ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ହୋଇ ଯାଇଥିଲା । କିନ୍ତୁ ସେ ସୂଚନା ଅଧିକାର ବଳରେ କରିଥିବା ମୂଳ ଆବେଦନଟି ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ସମ୍ବନ୍ଧିତ ‘ଭାରତ୍ କୀ ଲକ୍ଷ୍ମୀ’ ନାମରେ ଚାଲିଥିବା ଅଭିଯାନ ସମ୍ବନ୍ଧରେ ଥିଲା । ହେଲେ ଶ୍ରୀ ଗୋଖଲେଙ୍କ ଅବେଦନଟିକୁ ଏହା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ ସମ୍ବନ୍ଧୀୟ ଭାବି କ୍ରୀଡ଼଼ା ମନ୍ତ୍ରଣାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲା ଓ ତାପରେ ମନ୍ତ୍ରଣାଳୟ ଶ୍ରୀ ଗୋଖଲେଙ୍କ ବ୍ୟକ୍ତିଗତ ତଥ୍ୟ ଦେବା ଫଳରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁୁ ପଡ଼ିଲା । ହାଇକୋର୍ଟରେ କରିଥିବା ଆବେଦନରେ ସେ ଆହୁରି ଦର୍ଶାଇଛନ୍ତି ଯେ, ଗତ ଜୁଲାଇ ୨୪ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ଦିନ ୨୦୦ ଲୋକରୁ ଅଧିକ ଯେପରି ଜମା ହୋଇ ପାରିବେନି, ସେଥିପାଇଁ ସେ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିଥିବା ଜନସ୍ୱାର୍ଥ ମାମଲାକୁ ପ୍ରତ୍ୟାହାର କରିବା ପରେ ୧୨ ରୁ ୧୫ ଜଣ ଲୋକ ତାଙ୍କ ଘର ଆଗକୁ ଆସି ବିଭିନ୍ନ ଶ୍ଲୋଗାନ୍ ଦେବା ସହ ଘରୁ ବାହାରି ସେମାନଙ୍କୁ ଦେଖା କରିବାକୁ ଡାକୁଥିଲେ । ଏହାକୁ ନେଇ ସେ ଥାନାରେ ଏଫଆଇଆର୍ ଦେବା ପରେ ତାଙ୍କୁ ପୋଲିସ୍ ସୁରକ୍ଷା ପ୍ରଦାନ କରିଥିଲା । ତାଙ୍କର ବ୍ୟକ୍ତିଗତ ସୂଚନାକୁ ୱେବସାଇଟ୍ରୁ ହଟାଇବା ସହ ସେ ମାନସିକ ଯନ୍ତ୍ରଣା ଭୋଗ କରିବା ସହ ଜୀବନ ପ୍ରତି ବିପଦର ସମ୍ମୁଖୀନ ହୋଇଥିବାରୁ ସରକାରଙ୍କଠାରୁ ଶ୍ରୀ ଗୋଖ୍ଲେ ୫୦ ଲକ୍ଷ ଟଙ୍କା ଦାବୀ କରିଛନ୍ତି । ଶ୍ରୀ ଗୋଖ୍ଲେ ଆହୁରି କହିଛନ୍ତି ଯେ, ସୂଚନା ଅଧିକାର ଆଇନର ବ୍ୟବସ୍ଥା ଅନୁସାରେ ଆବେଦନକାରୀଙ୍କ ସବିଶେଷ ତଥ୍ୟ ଅନଲାଇନ୍ରେ ପ୍ରକାଶ କରାଯିବା ପୂର୍ବରୁ ସଂପୃକ୍ତ ଆବେଦନକାରୀଙ୍କ ସ୍ୱୀକୃତି ଏକାନ୍ତ ଆବଶ୍ୟକ, ଯାହାକି ମନ୍ତ୍ରଣାଳୟ ଉଲଂଘନ କରିଛି ବୋଲି ସେ ଦର୍ଶାଇଥିବା ‘ଦ ୱେୟାର’ ପ୍ରକାଶ କରିଛି ।
ବ୍ୟକ୍ତିଗତ ବିବରଣୀ ପ୍ରକାଶ କରିଥିବାରୁ ସରକାରଙ୍କଠୁ ୫୦ ଲକ୍ଷ ଟଙ୍କା ଦାବୀ କଲେ ସାମ୍ବାଦିକ ଗୋଖ୍ଲେ !
