(୧୭/୧୦) ଗତ ବୁଧବାର ଦିନ ଆୟକର ବିଭାଗ ଓକିଲ ମନୋଜ କୁମାର ସିଂଙ୍କ ବେଆଇନ ଅର୍ଥ କାରବାରକୁ ନେଇ ଦିଲ୍ଲୀ ଓ ହରିଆଣାର ୩୮ ଟି ସ୍ଥାନରେ ଚଢ଼ଉ କରିଥିଲା । ବିଭାଗ ତରଫରୁ ଦିଆଯାଇଥିବା ବିବୃତି ଅନୁସାରେ, ବ୍ୟବସାୟ କାର୍ଯ୍ୟରେ ହେଉଥିବା ବିବାଦର ସମାଧାନ ପାଇଁ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସିଂ ତାଙ୍କ ପକ୍ଷମାନଙ୍କଠାରୁ କୋଟି କୋଟି ଟଙ୍କା ନଗଦ ଆକାରରେ ଗ୍ରହଣ କରିଥିଲେ । ତାଙ୍କଠାରୁ ହିସାବ ବହିର୍ଭୁତ ପ୍ରାୟ ୩.୫ କୋଟି ନଗଦ ରାଶି ଆୟକର ବିଭାଗ ଜବତ କରିଛି । ତାଙ୍କର ଦଶଟି ଲକର୍ ଥିବା ମଧ୍ୟ ଆୟକର ବିଭାଗ ଜାଣିବାକୁ ପାଇଛି । ଆୟକର ବିଭାଗର ତଦନ୍ତରୁ ପ୍ରକାଶ ଯେ, ଏକ ନିର୍ଦ୍ଧିଷ୍ଟ ମାମଲା ପାଇଁ ଜଣେ ପକ୍ଷଠାରୁ ଶ୍ରୀ ସିଂ ନଗଦ ଆକାରରେ ୧୧୭ କୋଟି ଟଙ୍କା ଗ୍ରହଣ କରିଥିଲେ ବି, ଚେକ୍ ଆକାରରେ ପାଇଥିବା ୨୧ କୋଟି ଟଙ୍କା ପାଇଁ କେବଳ ସେ ଦଲିଲ ପ୍ରସ୍ତୁତ କରିଛନ୍ତି । ଅନ୍ୟ ଏକ ମାମଲାରେ ଜଣେ ପକ୍ଷଠାରୁ ନଗଦ ଆକାରରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ସେ ଗ୍ରହଣ କରିଥିବା ଆୟକର ବିଭାଗ ସୂଚନା ଦେଇଛି । ଏହି ହିସାବ ବହିର୍ଭୁତ ଟଙ୍କା ବ୍ୟୟରେ ସେ ବାସୋପଯୋଗୀ ଓ ବ୍ୟବସାୟିକ ସମ୍ପତ୍ତି କିଣି ସେସବୁକୁ ସ୍କୁଲ କାର୍ଯ୍ୟରେ ବ୍ୟବହାର କରୁଥିଲେ । ଏପରିକି ଗତ ଦୁଇ ବର୍ଷ ମଧ୍ୟରେ ୧୦୦ କୋଟିରୁ ଅଧିକ ନଗଦ ଟଙ୍କା ସେ ବିଭିନ୍ନ ସମ୍ପତ୍ତି କାରବାରରେ ପୋଶ ଅଂଚଳରେ ନିବେଶ କରିଥିବା ବିଭାଗ କହିଛି । ଦିଲ୍ଲୀ ଓକିଲ ସଂଘର କାର୍ଯ୍ୟ ନିବାହୀ ଅଧ୍ୟକ୍ଷ ଶ୍ରୀ ସିଂଙ୍କ କୋଟି କୋଟି ଟଙ୍କାର ଏହି ନଗଦ କାରବାର ପଛରେ ପକ୍ଷମାନଙ୍କଠାରୁ ସେ ଓକିଲ୍ ଫିଜ ୍ ଆକାରରେ ସେସବୁ ପାଇଥିଲେ ନା ଲାଂଚ ପାଇଥିଲେ? ଏପରି ଲୋକ ପୁଣି ଓକିଲମାନଙ୍କର ପ୍ରହରୀ ହୋଇ କିପରି କାମ କରିବ ବୋଲି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କଟାକ୍ଷ କରିଛନ୍ତି ।
ଦିଲ୍ଲୀ ଓକିଲ ସଂଘର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୩୦୦ କୋଟି ଟଙ୍କାର ନଗଦ କାରବାର କରିଥିବା ଆୟକର ବିଭାଗ ଧରିଲା !
