(୦୧/୭) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ରାଜ୍ୟ ପୋଲିସ୍ ଡିଜି ସୂଚନା ଦେଇଛନ୍ତି । ସେ ତାଙ୍କ ବାର୍ତ୍ତାରେ ଆହୁରି ଲେଖିଛନ୍ତି ଯେ, ଆଇଆଇସି ମାଝୀଙ୍କ ଚରିତ୍ର ଲଜ୍ଜାଜନକ । ଯେଉଁ ନାବାଳିକ ସହ ଏହି କୁକର୍ମ କରାଯାଇଛି, ତାଙ୍କୁ ଆମେ କ୍ଷମା ମାଗୁଛୁ ବୋଲି ଡିଜି ସେଥିରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଏକ ୧୩ ବର୍ଷର ଆଦିବାସୀ ନାବାଳିକାକୁ ଥାନାର ଉପର ମହଲାରେ ରଖି ଦୁଷ୍କର୍ମ କରି ଆସୁଥିଲେ । ସେ ପୀଡ଼ିତା ନାବାଳିକାକୁ ଗର୍ଭବତୀ କରାଇବା ସହ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ଏଥିରେ ହସ୍ତକ୍ଷେପ କରି ଉକ୍ତ ନାବାଳିକାକୁ ମେଡିକାଲରେ ଚିକିତ୍ସା କରାଉଥିବା ଜଣାପଡ଼ିଛି । ଘଟଣାଟି ଲୋକଲୋଚନକୁ ଆସିବା ପରେ ରାଜ୍ୟ ପୋଲିସ୍ ଡିଜି ଆଇଆଇସି ଶ୍ରୀ ମାଝୀଙ୍କୁ ନିଲମ୍ବନ କରିଛନ୍ତି । ଆଇଆଇସି ମାଝୀଙ୍କୁ କେବଳ ନିଲ୍ମ୍ବନ କରିଦେଲେ ଚଳିବ ନାହିଁ, ତାଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ପକ୍ସୋ ଆଇନ୍ ଓ ହରିଜନଆଦିବାସୀ ନିର୍ଯ୍ୟାତନା ଆଇନ ଅନୁସାରେ ମାମଲା ରୁଜୁ କରାଯାଉ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ପୋଲିସ ବିଭାଗର କେତେକ କର୍ମଚାରୀଙ୍କ ଏତାଦୃଶ ଅପରାଧ ମୂଳକ କାର୍ଯ୍ୟ ପାଇଁ ବର୍ତ୍ତମାନ ବିଭାଗ ନିନ୍ଦିତ ହେବାରେ ଲାଗିଛି । ବର୍ତ୍ତମାନ ସୂଚନା ମିଳିଛି ଯେ, ନିଲମ୍ବିତ ଆଇଆଇସି ଆନନ୍ଦଚନ୍ଦ୍ର ମାଝୀଙ୍କୁ ଖୋଜାଖୋଜି କରି ଅନୁଗୁଳ ଜିଲ୍ଲାର ହାଣ୍ଡପା ଥାନା ଅଂଚଳର ଏକ ଜଙ୍ଗଲରୁ ଗିରଫ କରିବା ସହ ଖୁବ ଶୀଘ୍ର ତାଙ୍କୁ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ପୋଲିସ୍ ଡିଜି ସୂଚନା ଦେଇଛନ୍ତି । ଏଥିପାଇଁ ସେ କ୍ରାଇମ ବ୍ରାଂଚର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନାବାଳିକାକୁ ଗର୍ଭବତୀ କରି ନିଲମ୍ବିତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଅନୁଗୁଳ ଜିଲ୍ଲାରୁ ଗିରଫ !
