(୨୬/୧୦) ମୁଖ୍ୟମନ୍ତ୍ରୀ ହେବା ପରେ ଏଥର ଉଦ୍ଧବ ଠାକରେଙ୍କ ନିମନ୍ତେ ପ୍ରଥମ ଦଶହରା ଥିଲା, ତେବେ ଯଦ୍ୟପି ଶିବସେନାର ପାରମ୍ପାରିକ ଦଶହରା ରାଲୀ ଶିବାଜୀ ପଡ଼ିଆରେ ହୋଇ ନଥିଲା ତଥାପି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ମିଳିଥିଲା । ସେ ତାଙ୍କ ଭାଷଣରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଖୁବ୍ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ସମାଲୋଚନା କରି କହିଲେ ଯେ, ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ନ କରି କେବଳ ଭାରତୀୟ ଜନତା ପାର୍ଟିର ପ୍ରଚାର ପ୍ରସାରରେ ସେ ଲାଗିଛନ୍ତି । ଏହି ଦଳ ଦେଶର ଆର୍ଥୀକ ବ୍ୟବସ୍ଥାରେ ସୁଧାର ଆଣିବା ପରିବର୍ତ୍ତେ ରାଜ୍ୟ ସରକାରମାନଙ୍କୁ ଭାଙ୍ଗିବାରେ ବ୍ୟସ୍ଥ ରହିଛି । ସେ ଆହୁରି କହିଛନ୍ତି ଯେ, ଜିଏସ୍ଟି କୁ ପୁନର୍ବାର ସମୀକ୍ଷା କରିବାର ସମୟ ଆସିଗଲାଣି । ବର୍ତ୍ତମାନ ପ୍ରଚଳିତ ଜିଏସ୍ଟି ବ୍ୟବସ୍ଥା ଯୋଗୁଁ ରାଜ୍ୟମାନଙ୍କୁ କୌଣସି ଲାଭ ମିଳୁ ନାହିଁ । ଜିଏସ୍ଟିର ମିଳିବାକୁ ଥିବା ୩୮,୦୦୦ କୋଟି ଟଙ୍କା ଏଯାଏଁ ମହାରାଷ୍ଟ୍ରକୁ ମିଳି ନାହିଁ । ତାଙ୍କ ସରକାରକୁ ବିଜେପି ସବୁବେଳେ ଭାଙ୍ଗିବାକୁ ପ୍ରୟାସ କରୁଛି, ଯଦି ପ୍ରକୃତରେ ସାହସ ଅଛି ତେବେ ସରକାରକୁ ଭାଙ୍ଗି ଦେଖନ୍ତୁ ବୋଲି ସେ ବିଜେପିକୁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରଚାର କରାଯାଉଛି ଯେ ମହାରାଷ୍ଟ୍ରର ଘରେଘରେ ଯେମିତି ଗଞ୍ଜାଇ ଚାଷ ହେଉଛି, ହେଲେ ଏଠାରେ ଲୋକଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିବ କିନ୍ତୁ ଗଞ୍ଜାଇ ନୁହେଁ । ପ୍ରଧାନମନ୍ତ୍ରୀ ଭିଡିଓ କନଫେନ୍ସ କାର୍ଯ୍ୟକ୍ରମରେ କହୁଥିଲେ ଯେ, କରୋନାକୁ ନେଇ ରାଜନୀତି ହେବା କଥା ନୁହେଁ, ହେଲେ କରୋନାକୁ ନେଇ ବହୁ ରାଜନୀତି ହେଉଥିବା ମୁଖ୍ୟମନ୍ତ୍ରୀ ଠାକରେ ଅଭିଯୋଗ କରିଛନ୍ତି । ବିହାର ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସେଠାରେ କ୍ଷମତାକୁ ଆସିଲେ କରୋନା ଟୀକା ସେଠିକାର ଲୋକଙ୍କୁ ମାଗଣାରେ ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଉଥିବାରୁ ବାକି ରାଜ୍ୟର ଲୋକେ କଣ ବାଂଲାଦେଶରୁ ଆସିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ : ଯଦି କେବଳ ବିହାରକୁୁ କରୋନା ଟୀକା ମାଗଣାରେ ମିଳିବ, ତେବେ ବାକି ଲୋକେ କ’ଣ ବାଂଲାଦେଶୀ ?
