ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ଭିତରୁ ଆଜି ୫୭ ଜଣ ଭଲ ହୋଇଥିବା ଖବର ଆସିଛି । ଏମାନଙ୍କ ଭିତରେ ଗଞ୍ଜାମର ୪୦, ଜଗତସିଂହପୁରର ୫, ମୟୁରଭଞ୍ଜର ୪, ଭୁବନେଶ୍ୱରର ୪, ବଲାଙ୍ଗୀରର ୨ ଜଣ ଓ ସୁନ୍ଦରଗଡ଼-ବାଲେଶ୍ୱର-କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ ମୋଟ ୮୭୬ ଜଣ ଆକ୍ରାନ୍ତଙ୍କ ଭିତରୁ ୨୭୭ ଜଣ ଭଲ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ଯାହା ବି ହେଉ, ବଲାଙ୍ଗୀର ଜିଲ୍ଲା ଲିଖିରିଆ ଗ୍ରାମର ୨ ଜଣ ଭଲ ହେବା ଓ ସେମାନଙ୍କୁ ଏପ୍ରିଲ ୨୮ ତାରିଖ ଦିନ ଅର୍ଥାତ୍ ଘରକୁ ବାହାର ରାଜ୍ୟରୁ ଫେରିବାର ୪୧ ଦିନ ପରେ କୌଣସି ଲକ୍ଷଣ ନ ଥିବା ଆକ୍ରାନ୍ତମାନେ କହିବା ସତ୍ତ୍ୱେ ପଜିଟିଭ୍ ବୋଲି ଚିହ୍ନଟ କରିବାରେ କେତେ ଦୂର ସତ୍ୟତା ଥିଲା, ଲୋକଙ୍କୁ ଏହା ସନ୍ଦେହରେ ପକାଇଛି । ସେ ଦୁଇ ଜଣଙ୍କୁ ପଜିଟିଭ ବୋଲି ଚିହ୍ନଟ କରିବା ପରେ ତୁଷୁରା ଓ ଦେଓଗାଁ ବ୍ଲକର ଅନେକ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଘରୁ ଆଉ କାହାରିକି ବାହାରିିବାକୁ ଦିଆଗଲାନି । ଲୋକେ ହଇରାଣ ହେଲେ । ଏପରିକି ଜଣେ ଆକ୍ରାନ୍ତଙ୍କ ବଡ଼ବାପା ଲୋକଙ୍କ ଟାହିଟାପରା ଶୁଣି ନ ପାରି କୂଅକୁ ଡେଇଁ ଆତ୍ମହତ୍ୟା କରିଥିବାର ମଧ୍ୟ ଶୁଣିବାକୁ ମିଳିଲା । ଉଭୟ ଆକ୍ରାନ୍ତଙ୍କ ପରିବାର ଓ ଆତ୍ମୀୟ ସ୍ୱଜନଙ୍କର ବି ସ୍ୱାବ ନେଇ କରୋନା ଆକ୍ରାନ୍ତ କି ନୁହନ୍ତି ପରୀକ୍ଷା କରାଗଲା । ହେଲେ ଏତେଦିନ ଯାଏଁ କୌଣସି ଜଣକୁ ବି ପଜିଟିଭ୍ ବୋଲି ଚିହ୍ନଟ କରାଯାଇ ପାରିଲା ନାହିଁ । ବରଂ ଯେଉଁ ଦୁଇ ଜଣ ପଜିଟିଭ୍ ଥିଲେ, ସେମାନେ ଏବେ କରୋନା ମୁକ୍ତ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଜି ଘୋଷଣା କରିଦେଲା । ତେବେ ଏହି ଘଟଣା ଯୋଗୁଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଲୋକେ ଏବେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସୁଯୋଗ ମିଳିଗଲା ବୋଲି ଚର୍ଚ୍ଚା ହେଲାଣି । ଲିଖିରିଆ ଗ୍ରାମର ଉଭୟ କରୋନା ଆକ୍ରାନ୍ତ ଭଲ ହେବା ପରେ ଲୋକେ ଏବେ ଭାବିବା ସ୍ୱାଭାବିକ ଯେ, କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ବି କାହା ସହ ମିଳାମିଶା କଲେ ତାହା ଲୋକଙ୍କୁ ଡେଇଁଥାଏ ବୋଲି ପୂର୍ବରୁ ଯାହା ଶୁଣୁଥିଲେ, ତାହା ସବୁବେଳେ ସତ ନୁହେଁ! ଯଦି ସତ ନୁହେଁ, ତେବେ ଲିଖିରିଆ ଘଟଣାରେ ଉଭୟ ଆକ୍ରାନ୍ତ ପ୍ରାୟ ୪୫ ଦିନଯାଏଁ ନିଜ ପରିବାର ବନ୍ଧୁମାନଙ୍କ ସହିତ ମିଳାମିଶା କରିଥିଲେ ବି ଜଣେ ବି କେମିତି ପଜିଟିଭ୍ ବାହାରିଲେ ନାହିଁ? ଏହି ଘଟଣାରୁ ଗୋଟେ ପ୍ରକାର ସ୍ପଷ୍ଟ ଜଣାପଡ଼ୁଛି ଯେ, ହୁଏତ ଏ ଉଭୟ ଆକ୍ରାନ୍ତଙ୍କ ପରୀକ୍ଷା ଠିକରେ କରାଯାଇ ନ ଥିଲା କିମ୍ବା ଯଦି ଠିକରେ କରାଯାଇଥିଲା, ତେବେ ବି କରୋନା ଆକ୍ରାନ୍ତଙ୍କ ସହ ଯେତେ ଚଳପ୍ରଚଳ କଲେ ବି ସମୟ ଅନୁସାରେ ସମସ୍ତଙ୍କୁ ଏହା ଡେଇଁ ନ ଥାଏ! ଏ ଭିତରୁ କୋଉଟା ସତ, ତାହା ସ୍ୱାସ୍ଥ୍ୟ ବିଭାଗ ଓ ଜନତା ବିଚାର କରିବେ ।
କରୋନା ଆକ୍ରାନ୍ତ ମିଳାମିଶା କଲେ ସତରେ କଣ ଡେଇଁଥାଏ? ବଲାଙ୍ଗୀରର ଘଟଣା ଭିନ୍ନ ସଙ୍କେତ ଦେଲାଣି!
