(୨୯/୭) କେନ୍ଦ୍ର ସରକାର ଆଜି ଅନଲକ୍-୩ ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ଅଗଷ୍ଟ ୩୧ ଯାଏଁ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ । ବର୍ତ୍ତମାନ ଯେପରି ଅନଲାଇନ୍ ଓ ଦୂରଶିକ୍ଷାର ପ୍ରୟୋଗ ଚାଲିଛି ତାହାକୁ ସରକାର ଉତ୍ସାହିତ କରିବା ସହ ଅନୁମତି ମଧ୍ୟ ଦେଇଛନ୍ତି । ସିନେମା ହଲ୍, ସନ୍ତରଣାଗାର, ପାର୍କ, ବାର୍, ପ୍ରେକ୍ଷାଳୟ ଓ ସଭାସମିତି କରିବାକୁ ଉଦ୍ଦିଷ୍ଟ ଥିବା କକ୍ଷ ବନ୍ଦ ରହିବ ବୋଲି ସରକାର କଟକଣା ଜାରି କରିଛନ୍ତି । ସେହିପରି କୌଣସି ସାମାଜିକ, ରାଜନୈତିକ, ସାଂସ୍କୃତିକ କିମ୍ବା ଲୋକଙ୍କ ଜନସମାଗମରେ ହେଉଥିବା କୌଣସି ଧାର୍ମିକ ଉତ୍ସବ ଭଳି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି । ହେଲେ ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳା ଅଗଷ୍ଟ ୫ ରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଧି ମୁତାବକ ଖୋଲିବ ବୋଲି ଉଲ୍ଲେଖ ରହିଛି । ଏହି ଅନଲକ୍-୩ ଭିତରେ ସ୍ୱାଧିନତା ଦିବସ ପଡ଼ୁ ଥିବାରୁ ସରକାର ସେଥିପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ ଜାତୀୟ ସ୍ତରରେ ହେଉ କି ପଞ୍ଚାୟତ ସ୍ତରରେ ବି ଏହି ଦିନ ପାଳନ କଲେ ମୁହଁରେ ମାସ୍କ ଲଗାଇ ଆବଶ୍ୟକୀୟ ଦୂରତାରେ ରହି ପାଳନ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି । ତେବେ ବିବାହ ଉତ୍ସବରେ ୫୦ ଜଣ ଓ ସମାଧି କାର୍ଯ୍ୟ ନିମନ୍ତେ ୨୦ ଜଣ କେବଳ ଯୋଗ ଦେଇ ପାରିବେ ବୋଲି ପୂର୍ବରୁ ଥିବା ନିୟମ ଏବେ ବି ବଳବତ୍ତର ରହିଛି ।
ଅଭିଭାବକଙ୍କ ଆଶା ଏଥର ବି ମଉଳିଲା । ଅନଲକ୍-୩ରେ ବି ସ୍କୁଲ ଖୋଲିବନି !
