(୦୩/୯) ଯେଉଁ କର୍ମଚାରୀଙ୍କ ଚାକିରୀକୁ ୩୦ ବର୍ଷ ହେଲାଣି ସେମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ଅବସର ସମୟ ପୂର୍ବରୁ ବାଧ୍ୟତା ମୂଳକ ଅବସର ଦେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଯେଉଁ କର୍ମଚାରୀମାନଙ୍କ ଆୟୁ ୫୦ ରୁ ୫୫ ବର୍ଷ ହେଲାଣି ବା ଚାକରୀକୁ ୩୦ ବର୍ଷ ହେଲାଣି ସେମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବାକୁ କେନ୍ଦ୍ରୀୟ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟକୁ ୍ପତ୍ର ଦେଇଛି । ସରକାରଙ୍କ ଏହି ଆଦେଶ ପରେ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି । ଏହି ଆଦେଶ ମୁତାବକ ଜୁଲାଇରୁ ସେପ୍ଟେମ୍ବର ଅବଧିରେ କରିଥିବା କାମର ସମୀକ୍ଷା ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ କରାଯିବ ଓ ଅକ୍ଟୋବରରୁ ଡିସେମ୍ବର ମାସର କାମକୁ ଏପ୍ରିଲରୁ ଜୁନ ମାସ ଭିତରେ ସମୀକ୍ଷା କରାଯିବ । ଆଦେଶରେ ଏହା ବି କୁହାଯାଇଛି ଯେ, ଯେଉଁ କର୍ମଚାରୀମାନଙ୍କ ଅବସର ସମୟ ଗୋଟିଏ ବର୍ଷ ବାକି ଅଛି, ସେମାନଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯିବ ନାହିଁ । ଏହି ସମୀକ୍ଷା କଲାବେଳେ କର୍ମଚାରୀଙ୍କ ବାର୍ଷିକ ପ୍ରଦର୍ଶନ ବ୍ୟତୀତ ପୁରା ଚାକିରୀ କାଳର ସମୀକ୍ଷା କରାଯିବ । ସମୀକ୍ଷା କରିବାକୁ କମିଟିମାନ ମଧ୍ୟ ଗଠନ କରାଯିବ । ଅଣ-ଗେଜେଟେଡ୍ କର୍ମଚାରୀଙ୍କ କାମର ସମୀକ୍ଷା କରିବାକୁ ଗଠିତ କମିଟିରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ଅଧ୍ୟକ୍ଷତା କରିବେ ବୋଲି ଏହି ଆଦେଶରେ ଉଲ୍କେଖ ରହିଛି ।
ଅବସର ସମୟ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବାଧ୍ୟତା ମୂଳକ ଅବସର ଦେବାକୁ ଯୋଜନା
